Blog
ମାଗଣା UPI ସେବା ହେବ କି ବନ୍ଦ ? RBI ଗଭର୍ଣ୍ଣରଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
ଦେଶରେ ଡିଜିଟାଲ୍ ପେମେଣ୍ଟର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି। ଛୋଟ ଚା’ ଦୋକାନ ଠାରୁ ଆରମ୍ଭ କରି ବଡ଼ ଶପିଂ ମଲ୍ ପର୍ଯ୍ୟନ୍ତ ପ୍ରାୟ ସବୁଠି UPI ମାଧ୍ୟମରେ ଅର୍ଥ କାରବାର କରାଯାଉଛି। ଏଭଳି ପରିସ୍ଥିତିରେ ୟୁପିଆଇ ପେମେଣ୍ଟ ଉପରେ ଭବିଷ୍ୟତରେ ଚାର୍ଜ ଲାଗିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଦେଶର କୋଟି କୋଟି ୟୁପିଆଇ ବ୍ୟବହାରକାରୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ—ସାଧାରଣ ଗ୍ରାହକଙ୍କୁ କି ୟୁପିଆଇ ବ୍ୟବହାର ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ?
ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରେପୋ ରେଟ୍ ଘୋଷଣା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଚାର୍ଜ ଲାଗିବ କି ନାହିଁ ବୋଲି ପଚରାଯିବାରୁ ସେ କହିଥିଲେ ଯେ, ଏହି ସମୟରେ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ସରକାର ଏବେ ପେମେଣ୍ଟ ସମ୍ବନ୍ଧୀୟ ଆଇନରେ ସଂଶୋଧନ ପ୍ରକ୍ରିୟାରେ ରହିଛନ୍ତି। ତେଣୁ ବର୍ତ୍ତମାନ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ।
ତେବେ ଆରବିଆଇ ଗଭର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ତାଙ୍କ ମତରେ, ୟୁପିଆଇ ପରି ଏକ ବିଶାଳ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ବହୁତ ଖର୍ଚ୍ଚ ହୁଏ। ସର୍ଭର ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ପେମେଣ୍ଟ ପ୍ରୋସେସିଂ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପରିଚାଳନା ଖର୍ଚ୍ଚ ଲଗାତାର ବଢ଼ୁଛି। ଏହି ଖର୍ଚ୍ଚ ଶେଷରେ କାହା ନା କାହାକୁ ବହନ କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ହେଲେ ଏହାର ଅର୍ଥ ଏହା ନୁହେଁ ଯେ ତୁରନ୍ତ ସାଧାରଣ ଗ୍ରାହକଙ୍କ ଉପରେ ଚାର୍ଜ ଲାଗୁ ହେବ।
ବର୍ତ୍ତମାନ କଣ ନିୟମ ରହିଛି?
୨୦୨୦ ମସିହାରୁ ସରକାର ୟୁପିଆଇ ଏବଂ ରୁପେ (RuPay) ଡେବିଟ୍ କାର୍ଡ ଟ୍ରାଞ୍ଜାକ୍ସନ୍ ଉପରେ ଲାଗୁଥିବା ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (MDR)କୁ ବନ୍ଦ କରିଥିଲେ। ଫଳରେ ଗ୍ରାହକ କିମ୍ବା ବ୍ୟବସାୟୀଙ୍କୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ୁନାହିଁ। ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀଗୁଡ଼ିକୁ ସରକାର ସବସିଡି ମାଧ୍ୟମରେ ଏହାର କିଛି ଖର୍ଚ୍ଚ ଭରଣ କରୁଛନ୍ତି।
କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ର ସଂଖ୍ୟା ରେକର୍ଡ ସ୍ତରକୁ ପହଞ୍ଚିଛି। ପ୍ରତିମାସ କୋଟି କୋଟି ଲେନଦେନ ହେଉଥିବାରୁ ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ ଚଳାଇବା ପାଇଁ ପରିଚାଳନା ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଛି। ଏହି କାରଣରୁ ଆଗାମୀ ଦିନରେ ଏହି ଖର୍ଚ୍ଚ କିପରି ବହନ କରାଯିବ, ସେନେଇ ସରକାର ଏବଂ ସମ୍ପୃକ୍ତ ସଂସ୍ଥାମାନେ ଆଲୋଚନା କରୁଛନ୍ତି।
କଣ ପରିବର୍ତ୍ତନ ହୋଇପାରେ?
ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଚର୍ଚ୍ଚା ଅନୁଯାୟୀ, ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ଟ୍ରାଞ୍ଜାକ୍ସନ୍ କିମ୍ବା ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ ୦.୩ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (MDR) ଲାଗୁ ହୋଇପାରେ। ତେବେ ଏହା କେବଳ ଆଲୋଚନା ସ୍ତରରେ ରହିଛି। ସରକାର କିମ୍ବା ଆରବିଆଇ ପକ୍ଷରୁ ଏନେଇ କୌଣସି ଅନ୍ତିମ ଘୋଷଣା କରାଯାଇନାହିଁ।
ସାଧାରଣ ଗ୍ରାହକଙ୍କ ଉପରେ କଣ ପ୍ରଭାବ ପଡ଼ିବ?
ବର୍ତ୍ତମାନର ସୂଚନା ଅନୁଯାୟୀ, ଦୈନନ୍ଦିନ ଜୀବନରେ ଛୋଟ ଅଙ୍କର ୟୁପିଆଇ ପେମେଣ୍ଟ କରୁଥିବା ସାଧାରଣ ଗ୍ରାହକ କିମ୍ବା ଛୋଟ ଦୋକାନୀଙ୍କ ପାଇଁ ତୁରନ୍ତ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଅର୍ଥାତ୍, ଚା’ ଦୋକାନ, ଗ୍ରୋସରି ଷ୍ଟୋର, ପନିପରିବା ଦୋକାନ କିମ୍ବା ଛୋଟ ବ୍ୟବସାୟୀଙ୍କୁ କରାଯାଉଥିବା ସାଧାରଣ ୟୁପିଆଇ ପେମେଣ୍ଟ ପୂର୍ବଭଳି ମାଗଣା ରହିପାରେ।
- Trending




