ଦିଲ୍ଲୀରେ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ! ଓଡ଼ିଶାକୁ ଆସିବ ହଜାର କୋଟିର ନିବେଶ ?

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ଗନ୍ତବ୍ୟରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ଆୟୋଜିତ ହୋଇଛି। ଏହି ନିବେଶକ ସମ୍ମିଳନୀ ମାଧ୍ୟମରେ ଦେଶର ପ୍ରମୁଖ ଶିଳ୍ପପତି, ନିବେଶକ, ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଏବଂ ଶିଳ୍ପ ଅନୁଷ୍ଠାନ ଗୁଡ଼ିକୁ ଓଡ଼ିଶାରେ ରହିଥିବା ନିବେଶ ସମ୍ଭାବନା ସମ୍ପର୍କରେ ଅବଗତ କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ସୁଯୋଗ, ଶିଳ୍ପ ଭିତ୍ତିଭୂମି, ଲଜିଷ୍ଟିକ୍ସ ସୁବିଧା, ନିବେଶକ-ଅନୁକୂଳ ନୀତି ଏବଂ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହେଉଛି। ଏଥିସହ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ ଆକର୍ଷିତ କରିବା ପାଇଁ ସରକାର ନିବେଶକମାନଙ୍କ ସମ୍ମୁଖରେ ନିଜର ରୋଡମ୍ୟାପ୍ ଉପସ୍ଥାପନ କରାଯାଇଛି ।

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ଶିଳ୍ପ ସଂଘ, ନିବେଶକ, ଉଦ୍ୟୋଗୀ ଏବଂ କର୍ପୋରେଟ୍ ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାରେ ନିବେଶର ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। କାର୍ଯ୍ୟକ୍ରମରେ ଅନେକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି , ଯାହା ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୃଷ୍ଟିକୁ ଗତି ଦେବ।

ଓଡ଼ିଶାରେ କୃଷି ଓ ଉଦ୍ୟାନ କୃଷି ଉତ୍ପାଦ, ସାମୁଦ୍ରିକ ସମ୍ପଦ, ଫଳ ଓ ପନିପରିବା, ମିଲେଟ୍, ମସଲା, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଉତ୍ପାଦର ପ୍ରଚୁର ଉପଲବ୍ଧତା ରହିଥିବାରୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟ ଏକ ଆଦର୍ଶ ସ୍ଥାନ ଭାବେ ଉଭା ହୋଇଛି। ଏହି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଲେ କୃଷକଙ୍କ ଆୟ ବୃଦ୍ଧି ସହିତ ମୂଲ୍ୟ ସଂଯୋଜନ, ରପ୍ତାନି ବୃଦ୍ଧି ଏବଂ ବହୁ ସଂଖ୍ୟକ ରୋଜଗାର ସୃଷ୍ଟିର ସୁଯୋଗ ସୃଷ୍ଟି ହେବ।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ଭିତ୍ତିଭୂମି, ସହଜ ବ୍ୟବସାୟିକ ପରିବେଶ ଏବଂ ନିବେଶକ-ଅନୁକୂଳ ନୀତି ମାଧ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ବିକଶିତ କରିବା। ଏହା ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ଶିଳ୍ପାୟନ, ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ପୂରଣ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।