Blog
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି- ଭାରତରେ ବନ୍ଦ ହେବ ‘ଟେଲିଗ୍ରାମ୍ ‘ !
ନିଟ୍ (NEET-UG) ୨୦୨୬ ପୁନଃପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶବ୍ୟାପୀ ଭାବେ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ (Telegram) ଉପରେ ଆସନ୍ତା ୨୨ ଜୁନ୍ ପର୍ଯ୍ୟନ୍ତ ଅସ୍ଥାୟୀ ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଜୁନ୍ ୨୧ରେ ହେବାକୁ ଥିବା ନିଟ୍ ୟୁଜି ପୁନଃପରୀକ୍ଷା ପୂର୍ବରୁ ନିଆଯାଇଛି, ଯାହାଦ୍ୱାରା ପ୍ରଶ୍ନପତ୍ର ଲିକ୍, ଠକେଇ ଏବଂ ଗୁଜବ ପ୍ରଚାରକୁ ରୋକାଯାଇପାରିବ।
କାହିଁକି ଟେଲିଗ୍ରାମ୍ ବନ୍ଦ ?
ଜାତୀୟ ପରୀକ୍ଷା ଏଜେନ୍ସି ବା National Testing Agency (NTA)ର ସୂଚନା ଅନୁଯାୟୀ, କିଛି ଅସାଧୁ ବ୍ୟକ୍ତି ଟେଲିଗ୍ରାମ୍କୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ଭୁଲ ସୂଚନା ଦେଉଥିଲେ। ପ୍ରଶ୍ନପତ୍ର ମିଳିବ ବୋଲି ଲୋଭ ଦେଖାଇ ଟଙ୍କା ଆଦାୟ କରିବା ସହ “ପେପର୍ ଲିକ୍” କରାଯାଉଥିଲା। ଏହାକୁ ରୋକିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯A ଅନୁଯାୟୀ ଏହି କଟକଣା ଲାଗୁ କରିଛି।
NTAର ଆଡଭାଇଜରୀ
- NTA ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ସ୍ପଷ୍ଟ ଭାବେ କହିଛି ଯେ— ପରୀକ୍ଷା ପୂର୍ବରୁ କାହା ପାଖରେ ମୂଳ ପ୍ରଶ୍ନପତ୍ର ନାହିଁ।
- କୌଣସି ବ୍ୟକ୍ତି କିମ୍ବା ୱେବସାଇଟ୍ ପ୍ରଶ୍ନପତ୍ର ଦେବାକୁ ଦାବି କଲେ ତାହା ଠକେଇ ବୋଲି ଧରାଯିବ।
- ଏପରି ସନ୍ଦିଗ୍ଧ ସୂଚନା ମିଳିଲେ ତୁରନ୍ତ NTA କିମ୍ବା ସାଇବର୍ କ୍ରାଇମ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।
- ଅଭିଯୋଗ ମିଳିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମେସେଜ୍ ଏଡିଟ୍ ଫିଚର୍ ଉପରେ ମଧ୍ୟ ନିୟନ୍ତ୍ରଣ
ସରକାର କେବଳ ଟେଲିଗ୍ରାମ୍ ଆକ୍ସେସ୍ ଉପରେ ନୁହେଁ, ଏହାର ମେସେଜ୍ ଏଡିଟ୍ ଫିଚର୍ ଉପରେ ମଧ୍ୟ ଅସ୍ଥାୟୀ ନିୟନ୍ତ୍ରଣ ଲାଗୁ କରିଛନ୍ତି। ତଦନ୍ତରେ ଜଣାପଡ଼ିଥିଲା ଯେ, କିଛି ଲୋକ ପୁରୁଣା ମେସେଜ୍କୁ ପରେ ବଦଳାଇ ଭୁଆଁ ବୁଲାଇ ପ୍ରମାଣ ସୃଷ୍ଟି କରୁଥିଲେ ଏବଂ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ଦାବି କରୁଥିଲେ। ଏହି କାରଣରୁ ଏହି ବିଶେଷ ଫିଚର୍ ଉପରେ ମଧ୍ୟ କଟକଣା ଜାରି ରହିବ।
ଓଡ଼ିଶାରେ ପରୀକ୍ଷା ବ୍ୟବସ୍ଥା
ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ଦେବେ । ପରୀକ୍ଷାକୁ ନିର୍ବିଘ୍ନ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।
ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ନିଆଯାଇଛି। NTA ଛାତ୍ରଛାତ୍ରୀଙ୍କୁ ଗୁଜବରୁ ଦୂରେ ରହି କେବଳ ଅଧିକୃତ ସୂଚନା ଉପରେ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛି।
- Trending




