ମନ୍ତ୍ରୀ ଇସ୍ତଫା ନ ଦେଲେ, ରାଜ୍ୟବ୍ୟାପୀ ଆନ୍ଦୋଳନ ।

ପିଲାଙ୍କ ପାଠ୍ୟପୁସ୍ତକରେ ଭୁଲ ଆଉ ସେହି ଭୁଲକୁ ନେଇ ରାଜ୍ୟ ରାଜନୀତିରେ ବଢ଼ୁଛି ତାତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ରହିଥିବା ସାଙ୍ଘାତିକ ତ୍ରୁଟି ଏବେ ସରକାରଙ୍କୁ ଅଡୁଆରେ ପକାଇଛି । ଗୋଟିଏ ପଟେ ପୁସ୍ତକରେ ତଥ୍ୟଗତ ଓ ଭାଷାଗତ ଭୁଲକୁ ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜୁ ଜନତା ଦଳ ଏହାକୁ ଏକ ବଡ଼ ଦୁର୍ନୀତି ବୋଲି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି । ଏହାରି ଭିତରେ ମାଲକାନଗିରିରେ ବିଜେଡି ପକ୍ଷରୁ ହୋଇଛି ବିରାଟ ବିକ୍ଷୋଭ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାଲକାନଗିରି ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ଓ ରାଲି ଅନୁଷ୍ଠିତ ହୋଇଛି । ଶହ ଶହ ଦଳୀୟ କର୍ମୀ, ଛାତ୍ର, ଯୁବ ନେତା ଓ ସ୍ଥାନୀୟ ଲୋକେ ଏହି ବିକ୍ଷୋଭରେ ସାମିଲ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ନୂତନ ପାଠ୍ୟପୁସ୍ତକରେ ଏତେ ପରିମାଣର ଭୁଲ ରହିଛି ଯେ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସିଧାସଳଖ ଖେଳ, କେବଳ ପାଠ୍ୟପୁସ୍ତକ ନୁହେଁ, ଏହା ପଛରେ ପ୍ରାୟ ୩୮୦ କୋଟି ଟଙ୍କାର ମୁଦ୍ରଣ ଦୁର୍ନୀତି ହୋଇଥିବା ମଧ୍ୟ ବିଜେଡି ଅଭିଯୋଗ କରିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ, ପାଠ୍ୟପୁସ୍ତକ ପ୍ରକାଶନରେ ହୋଇଥିବା କଥିତ ୩୮୦ କୋଟି ଟଙ୍କାର ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ । ପରୀକ୍ଷା ଆଉ ମାତ୍ର ଦୁଇରୁ ତିନି ମାସ ଥିବାରୁ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଠିକ୍ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ । ଏବଂ ଏହି କଥିତ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଓ ସଂସ୍ଥାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅର୍ଥ ଆଦାୟ କରାଯାଉ । ଏମିତି ଅନେକ ଦାବି ରଖିଛି ବିଜେଡି ।