ଗାଡ଼ି ଚାଳକ ସାବଧାନ ! ଫିଟନେସ୍ ନଥିଲେ ଆଉ ଜରିମାନା ନୁହେଁ, ସିଧା ଜବତ…

ସଡ଼କ ଦୁର୍ଘଟଣା ରୋକିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଗାଡ଼ିର ଫିଟନେସ୍ ଯାଞ୍ଚକୁ ଆହୁରି କଡ଼ାକଡ଼ି କରିଛନ୍ତି ସରକାର। ବୈଧ ଫିଟନେସ୍ ପ୍ରମାଣପତ୍ର ନଥାଇ ରାସ୍ତାରେ ଗାଡ଼ି ଚଳାଚଳ କଲେ ଏଣିକି କେବଳ ଜରିମାନା ଦେଇ ଖସିଯିବା ସହଜ ହେବ ନାହିଁ। ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ବିରୋଧରେ କଠୋର ପଦକ୍ଷେପ ନିଆଯିବା ସହ ଆବଶ୍ୟକ ସ୍ଥଳେ ଗାଡ଼ିକୁ ଜବତ ମଧ୍ୟ କରାଯିବ।

ଗାଡ଼ିର ଫିଟନେସ୍ ଯାଞ୍ଚ ଅଭିଯାନର ଦ୍ୱିତୀୟ ଦିନରେ ମଧ୍ୟ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ ମୋଟ ୩ ହଜାର ୫୭ଟି ଗାଡ଼ି ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଫିଟନେସ୍, ପଞ୍ଜୀକରଣ ଓ ପରମିଟ୍ ସମ୍ପର୍କିତ କାଗଜପତ୍ରକୁ ବିଶେଷ ଭାବେ ଯାଞ୍ଚ କରାଯାଉଛି।

ବିନା ବୈଧ ଫିଟନେସ୍ ଓ ପଞ୍ଜୀକରଣରେ ଚଳାଚଳ କରୁଥିବା ୪୭୮ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯାଇଛି। ସେହିପରି ବିନା ପରମିଟ୍‌ରେ ଗାଡ଼ି ଚଳାଉଥିବା ୬୫ଟି ଗାଡ଼ିକୁ ଚାଲାଣ କଟାଯାଇଛି । ଉଭୟ ନିୟମ ଉଲ୍ଲଙ୍ଘନ କରିଥିବା ୧୭୨ଟି ଗାଡ଼ି ବିରୋଧରେ ମଧ୍ୟ ଚାଲାଣ କଟିଛି ।

ସଡ଼କରେ ଅନଫିଟ୍ ଗାଡ଼ି ଚଳାଚଳ ଦୁର୍ଘଟଣାର ଆଶଙ୍କା ବଢ଼ାଉଥିବାରୁ ଏଭଳି ଗାଡ଼ିକୁ ଜବତ କରାଯାଉଛି । ତେଣୁ ଗାଡ଼ି ମାଲିକ ଓ ଚାଳକମାନେ ଫିଟନେସ୍, ପଞ୍ଜୀକରଣ ଏବଂ ପରମିଟ୍ ସମେତ ସମସ୍ତ ଆବଶ୍ୟକ କାଗଜପତ୍ର ବୈଧ ରଖିବାକୁ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ଆଗାମୀ ଦିନରେ ମଧ୍ୟ ଏହି ଯାଞ୍ଚ ଅଭିଯାନ ଜାରି ରହିବ। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ଗାଡ଼ି ଜବତ ଭଳି କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ।