ଆଉ ଯିବନି ଜୀବନ ! ଓଡ଼ିଶାରେ ହେବ ‘ଆକ୍ସିଡେଣ୍ଟ-ଫ୍ରି କରିଡର’

ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ତତ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଦିଗରେ ରାଜ୍ୟ ସରକାର ନେବାକୁ ଏକ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାଉଛନ୍ତି । ରାଜ୍ୟରେ ‘ଆକ୍ସିଡେଣ୍ଟ-ଫ୍ରି’ ଏବଂ ‘ଫାଟାଲିଟି-ଫ୍ରି କରିଡର’ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହ ଦୁର୍ଘଟଣାଜନିତ ଜୀବନହାନିକୁ ସର୍ବନିମ୍ନ ସ୍ତରକୁ ଆଣିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ ପରାମର୍ଶ ଓ ମାର୍ଗଦର୍ଶିକାକୁ ଆଧାର କରି ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ଦୁର୍ଘଟଣାପ୍ରବଣ ସ୍ଥାନ ବା ‘ବ୍ଲାକ୍ ସ୍ପଟ୍’ ଗୁଡ଼ିକୁ ଚିହ୍ନଟ କରାଯିବ। କେବଳ ବ୍ଲାକ୍ ସ୍ପଟ୍ ଚିହ୍ନଟରେ ସୀମିତ ନ ରହି, ଏସବୁ ସ୍ଥାନରେ ବାରମ୍ବାର କାହିଁକି ଦୁର୍ଘଟଣା ଘଟୁଛି, ତାହାର ବୈଜ୍ଞାନିକ ଓ ବୈଷୟିକ ଅନୁଧ୍ୟାନ କରାଯିବ। ସଡ଼କର ଡିଜାଇନ୍, ଟ୍ରାଫିକ୍ ପରିଚାଳନା, ଆଲୋକୀକରଣ, ସାଇନେଜ୍, ଗତି ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଚିହ୍ନଟ କରି ଏହାର ସ୍ଥାୟୀ ସମାଧାନ ଉପରେ କାମ କରାଯିବ।

ଏହି ଯୋଜନାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଖୁବଶୀଘ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସଡ଼କ ସୁରକ୍ଷା ବିଶେଷଜ୍ଞମାନଙ୍କୁ ନେଇ ଏକ ବିଶେଷ କର୍ମଶାଳା ଆୟୋଜନ କରାଯିବ। କର୍ମଶାଳାରେ ବିଭିନ୍ନ ଦେଶ ଓ ରାଜ୍ୟରେ ସଫଳ ହୋଇଥିବା ସଡ଼କ ସୁରକ୍ଷା ମଡେଲ୍, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଏବଂ ଟେକ୍ନୋଲୋଜି ସେୟାରିଂ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଟ୍ରାଫିକ୍ ମନିଟରିଂ, ସ୍ମାର୍ଟ ସର୍ଭେଲାନ୍ସ, ରିୟଲ୍-ଟାଇମ୍ ଡାଟା ବିଶ୍ଳେଷଣ ଏବଂ ଆଧୁନିକ ସଡ଼କ ସୁରକ୍ଷା ବ୍ୟବସ୍ଥାର ପ୍ରୟୋଗ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ କରାଯିବ।

ପ୍ରସ୍ତାବିତ କର୍ମଶାଳା ଏବଂ ଆକ୍ସିଡେଣ୍ଟ-ଫ୍ରି କରିଡର ଯୋଜନାର ପ୍ରସ୍ତୁତି ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୂର୍ତ୍ତ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପରିବହନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଯୋଜନାର କାର୍ଯ୍ୟକାରିତା, ବିଭାଗୀୟ ସମନ୍ୱୟ ଏବଂ ଆଧୁନିକ ପ୍ରଯୁକ୍ତିର ଉପଯୋଗ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ସରକାରଙ୍କ ଏହି ପଦକ୍ଷେପ ସଫଳ ହେଲେ ରାଜ୍ୟର ଦୁର୍ଘଟଣାପ୍ରବଣ ସଡ଼କଗୁଡ଼ିକ ଅଧିକ ସୁରକ୍ଷିତ ହେବା ସହ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି।