Blog
ବାହାରେ ପରିବାର ଲୋକେ , ଘର ଭିତରେ ଚୋରଙ୍କ କମାଲ ! ରାତାରାତି ୨ କୋଟିର ସୁନା ନେଇ ଛୁ’ ମାରିଲେ ଦୁର୍ବୃତ୍ତ
ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବିଲ୍ଡର ପ୍ରୀତମ ଜେନାଙ୍କ ବାସଭବନରୁ ପ୍ରାୟ ୨ କୋଟି ଟଙ୍କାର ସୁନା ଗହଣା ସହ ୫ ଲକ୍ଷ ଟଙ୍କା ନଗଦ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୀତମ ଜେନା ଓ ତାଙ୍କ ପରିବାର ସଦସ୍ୟ କୌଣସି କାମରେ ଘର ବାହାରକୁ ଯାଇଥିଲେ। ଘର ଖାଲି ଥିବା ସୁଯୋଗର ଫାଇଦା ଉଠାଇ ଦୁର୍ବୃତ୍ତମାନେ ଘରେ ପଶି ଘରର ଆଲମିରା ଓ ଲକର ଭାଙ୍ଗି ସେଥିରେ ରଖାଯାଇଥିବା ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପରିବାର ଲୋକେ ଘରକୁ ଫେରିବା ପରେ ଚୋରି ହୋଇଥିବା ଦେଖି ତୁରନ୍ତ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫରେନସିକ୍ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛନ୍ତି।
ଏହି ବଡ଼ ଧରଣର ଚୋରି ପଛରେ କୌଣସି ସଂଗଠିତ ଚୋର ଗ୍ୟାଙ୍ଗର ହାତ ରହିଛି କି ନାହିଁ, ସେନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ଧ୍ୟାନ ଦିଆଯାଇଛି । କିଏ ଏହି ଚୋରି କରିଛି ଏବଂ ଏତେ ବଡ଼ ପରିମାଣର ସୁନା ଓ ଟଙ୍କା କିପରି ନେଇ ପଳାଇଲେ, ସେନେଇ ପୋଲିସ୍ର ତଦନ୍ତ ଜାରି ରହିଛି।
- Trending




