Blog
ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ବିଷ ଦେଇ ମାରିଦେଲା ସ୍ୱାମୀ !
ଉତ୍ତର ପ୍ରଦେଶର କାନପୁରରେ ଜଣେ ୨୩ ବର୍ଷୀୟା ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଝିଅ ଜନ୍ମ ହେବା ପରେ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବା ସହ ଶେଷରେ ବିଷାକ୍ତ ପଦାର୍ଥ ଖୁଆଇ ହତ୍ୟା କରିଥିବା ଅଭିଯୋଗ ମୃତାଙ୍କ ପରିବାର ପକ୍ଷରୁ କରାଯାଇଛି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଥିବା ବେଳେ ପୁଲିସ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି।
ଏହି ଘଟଣା କାନପୁରର ଗୋବିନ୍ଦ ନଗର ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳା ଜଣକ ହେଲେ ୨୩ ବର୍ଷୀୟା ରଞ୍ଜୁ କୁମାରୀ। ତାଙ୍କ ବିବାହ ୨୦୨୫ ମାର୍ଚ୍ଚ ୧୧ ତାରିଖରେ କାନପୁରର ଗୋପାଳ ନଗର ଅଞ୍ଚଳର ବାସିନ୍ଦା ଓ ଅଟୋ ଚାଳକ ପଙ୍କଜଙ୍କ ସହ ହୋଇଥିଲା। ବିବାହର ପ୍ରାୟ ବର୍ଷକ ପରେ ରଞ୍ଜୁଙ୍କ ଏପରି ମୃତ୍ୟୁ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ମୃତାଙ୍କ ଭାଇ ବିକାଶଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଚାରି ମାସ ପୂର୍ବେ ରଞ୍ଜୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ପରେ ସ୍ୱାମୀ ପଙ୍କଜଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପୁଅ ପରିବର୍ତ୍ତେ ଝିଅ ଜନ୍ମ ହୋଇଥିବାରୁ ସେ ରଞ୍ଜୁଙ୍କୁ ବାରମ୍ବାର ମାରପିଟ କରୁଥିଲେ ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ନିର୍ଯାତନା ଦୀର୍ଘଦିନ ଧରି ଚାଲିଥିବା ମଧ୍ୟ ସେମାନେ କହିଛନ୍ତି।
ଅଭିଯୋଗ ଅନୁସାରେ, ବୁଧବାର ସନ୍ଧ୍ୟାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣିଥରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ପଙ୍କଜ ପ୍ରଥମେ ରଞ୍ଜୁଙ୍କୁ ମାରପିଟ କରିଥିଲେ। ଏହାପରେ ଜୋରଜବରଦସ୍ତ ତାଙ୍କୁ ବିଷାକ୍ତ ପଦାର୍ଥ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସେ ଘରୁ ଫେରାର ହୋଇଯାଇଥିବା କୁହାଯାଉଛି।
ରଞ୍ଜୁଙ୍କ ଅବସ୍ଥା ଗୁରୁତର ହେବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କାନପୁରର ଏକ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାପଘର ଲୋକେ କାନପୁରରେ ପହଞ୍ଚି ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଝିଅ ଜନ୍ମ ହେବା ପରଠାରୁ ରଞ୍ଜୁଙ୍କୁ ଲଗାତାର ନିର୍ଯାତନା ଦିଆଯାଉଥିଲା ଏବଂ ଶେଷରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି।
ଅନ୍ୟପଟେ, ଗୋବିନ୍ଦ ନଗର ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ, ବର୍ତ୍ତମାନ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ମାମଲା ଭାବେ ନେଇ ତଦନ୍ତ କରାଯାଉଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେହିପରି ପରିବାରର ଅଭିଯୋଗ, ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତରେ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି। ବର୍ତ୍ତମାନ ଫେରାର ଅଭିଯୁକ୍ତ ସ୍ୱାମୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
- Trending




