ସାର କଳାବଜାରୀ କଲେ ଛାଡ଼ ନାହିଁ ! କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ

ରାଜ୍ୟରେ ସାର କଳାବଜାରୀ ଓ ବେଆଇନ ମହଜୁଦକୁ ନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାର କଳାବଜାରୀ କରୁଥିବା ବ୍ୟକ୍ତି, ବ୍ୟବସାୟୀ କିମ୍ବା ଡିଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ଚାଷୀମାନେ ଯେପରି ସାର ପାଇଁ ହଇରାଣ ନହୁଅନ୍ତି ଏବଂ ଧାର୍ଯ୍ୟ ମୂଲ୍ୟରେ ସାର ପାଇପାରନ୍ତି, ସେଥିପାଇଁ ସରକାର ନଜର ରଖିଛନ୍ତି।

ସାରର କଳାବଜାରୀ ଓ କୃତ୍ରିମ ଅଭାବ ସୃଷ୍ଟିକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ସାରର ମହଜୁଦ, ବଣ୍ଟନ ଓ ବିକ୍ରି ବ୍ୟବସ୍ଥା ଉପରେ ଯାଞ୍ଚ କରିବ। ନିୟମ ଉଲ୍ଲଂଘନ କରି ସାର ଲୁଚାଇ ରଖିବା କିମ୍ବା ଅଧିକ ଦାମରେ ବିକ୍ରି କରିବା ଭଳି ଅଭିଯୋଗ ମିଳିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ଏଥିରୁ ବହୁ ପରିମାଣର ସାର ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ PACS ମାଧ୍ୟମରେ ବଣ୍ଟନ କରାଯାଇଛି।

ଏଯାଏ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACSଗୁଡ଼ିକୁ ଦିଆସରିଛି। ଏହାଦ୍ୱାରା ସମବାୟ ବ୍ୟବସ୍ଥା ଜରିଆରେ ଚାଷୀମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯାଉଛି।

ସେହିପରି ୧,୪୨୬ ଟନ୍ ସାର ଡିଲରମାନଙ୍କୁ ଦିଆଯାଇଥିବାବେଳେ ପ୍ରାୟ ୨୯ ହଜାର ଟନ୍ ସାର ଷ୍ଟକ୍‌ରେ ରହିଛି। ତେଣୁ ରାଜ୍ୟରେ ସାରର ଅଭାବ ନଥିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କଳାବଜାରୀ ଉପରେ କଡ଼ା ନଜର

ଚାଷୀଙ୍କ ପାଇଁ ଆସୁଥିବା ସାର ଯେପରି କଳାବଜାରୀ ହୋଇ ଅଧିକ ଦାମରେ ବିକ୍ରି ନହୁଏ, ସେଥିପାଇଁ ସରକାର ଏନଫୋର୍ସମେଣ୍ଟ ଟିମ୍ ଜରିଆରେ ନିୟମିତ ଯାଞ୍ଚ କରିବାକୁ ପଦକ୍ଷେପ ନେଇଛନ୍ତି। ଚାଷୀମାନେ ନିର୍ଦ୍ଧାରିତ ଦରରେ ସାର ପାଇବା ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସାର ବିକ୍ରିରେ ଅନିୟମିତତା, କଳାବଜାରୀ କିମ୍ବା କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ସରକାର ଆଗକୁ ଆହୁରି କଠୋର ପଦକ୍ଷେପ ନେଇପାରନ୍ତି।