ଭାଗଚାଷୀଙ୍କୁ ବଡ଼ ଆଶ୍ୱସ୍ତି ! ଧାନ ବିକ୍ରିରେ ରହିବନି ଜଟିଳତା

ଧାନ ବିକ୍ରି କରିବାକୁ ଯାଇ ଭାଗଚାଷୀମାନେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବେନି। ଧାନ ପଞ୍ଜୀକରଣକୁ ନେଇ ଭାଗଚାଷୀଙ୍କ ମଧ୍ୟରେ ଦେଖାଦେଇଥିବା ଦ୍ବନ୍ଦ୍ବ ଓ ଆଶଙ୍କା ଦୂର କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭାଗଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଆବଶ୍ୟକ କାଗଜପତ୍ର ଦାଖଲ କରି ଭାଗଚାଷୀମାନେ ଧାନ ବିକ୍ରି ପାଇଁ ନିଜର ପଞ୍ଜୀକରଣ କରିପାରିବେ। ଏଥିପାଇଁ ଜମି ମାଲିକଙ୍କ ଉପସ୍ଥିତି ଅନିବାର୍ଯ୍ୟ ନୁହେଁ। ଯେଉଁ ଜମି ମାଲିକମାନେ ବ୍ୟକ୍ତିଗତ କାରଣରୁ ଉପସ୍ଥିତ ରହିପାରିବେ ନାହିଁ, ସେମାନଙ୍କ ପାଇଁ ସରକାର ଏକ ଆପ୍ଲିକେସନ୍ ବ୍ୟବସ୍ଥା କରୁଛନ୍ତି।

ଏହି ଆପ୍ ଜରିଆରେ ଜମି ମାଲିକ ଦୂରରେ ଥାଇ ମଧ୍ୟ ନିଜର ଅନୁମତି ବା ସହମତି ଜଣାଇପାରିବେ। ଫଳରେ ମାଲିକଙ୍କ ଅନୁପସ୍ଥିତି ଯୋଗୁ ଭାଗଚାଷୀଙ୍କ ପଞ୍ଜୀକରଣ ଅଟକି ରହିବ ନାହିଁ।

ଆଗ୍ରିଷ୍ଟେକ୍ ଆଇଡି ନଥିଲେ ବି ପଞ୍ଜୀକରଣ ସମ୍ଭବ

ଧାନ ପଞ୍ଜୀକରଣକୁ ନେଇ ଆଉ ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ। ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ନଥିଲେ ମଧ୍ୟ ଚାଷୀମାନେ ପଞ୍ଜୀକରଣ କରିପାରିବେ। ତେଣୁ ଆଇଡି ନଥିବାକୁ ନେଇ ଚାଷୀମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ଏଯାଏ ରାଜ୍ୟରେ ୫ ହଜାର ୯୩ ଜଣ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ସେଥିମଧ୍ୟରୁ ୩ ହଜାର ୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି। ଅନ୍ୟପକ୍ଷରେ, ଆଗ୍ରିଷ୍ଟେକ୍ ଆଇଡି ନଥିବା ଚାଷୀମାନଙ୍କ ପାଇଁ ମଧ୍ୟ ପଞ୍ଜୀକରଣର ସୁଯୋଗ ରହିଛି।

୩୧ ତାରିଖ ଯାଏ ପଞ୍ଜୀକରଣ

ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଦି ଆବଶ୍ୟକତା ଅନୁଭବ ହୁଏ, ପଞ୍ଜୀକରଣର ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଏହାଦ୍ୱାରା ଭାଗଚାଷୀଙ୍କ ମଧ୍ୟରେ ଧାନ ବିକ୍ରିକୁ ନେଇ ରହିଥିବା ଆଶଙ୍କା ଦୂର ହେବା ସହିତ ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି।