Blog
ପିଲାଙ୍କ ଖାଦ୍ୟରେ ଆଉ ହେବନି ଅବହେଳା ! ପାଚିକାଙ୍କୁ ସ୍ୱତନ୍ତ୍ର ତାଲିମ…
ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବୃଦ୍ଧି, ସ୍ୱଚ୍ଛତା ବଜାୟ ରଖିବା ଏବଂ ପାଚିକା ଓ ପାଚିକା ସହାୟିକାଙ୍କ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତାଲିମ ଶିବିର ଆୟୋଜିତ ହୋଇଥିଲା। ଏହି ତାଲିମ ଶିବିରରେ ବିଭିନ୍ନ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ପାଚିକା ସହାୟିକାମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁଶ୍ରୀ ସୁଷମା ଶବର ଉପସ୍ଥିତ ରହି ସମସ୍ତ ପାଚିକା ଓ ପାଚିକା ସହାୟିକାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସାମୂହିକ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ତାଲିମ ଶିବିରରେ କନକା ସିଆରସିସି ଡଃ ଦ୍ୱାରିକାନାଥ ମହାରଣା ସମ୍ବଳ ପ୍ରଶିକ୍ଷକ ଭାବେ ଏବଂ ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ପାଚିକା ସୁଜାତା ଡାକୁଆ ସମ୍ବଳ ପ୍ରଶିକ୍ଷିକା ଭାବେ ଯୋଗଦେଇଥିଲେ। ସେମାନେ ପାଚିକା ଓ ସହାୟିକାମାନଙ୍କୁ ବ୍ୟକ୍ତିଗତ ପରିଷ୍କାର-ପରିଚ୍ଛନ୍ନତା, ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ରନ୍ଧନ ପ୍ରଣାଳୀ, ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ, ଶୃଙ୍ଖଳିତ ଭାବେ ଖାଦ୍ୟ ପରିବେଷଣ, ଖାଦ୍ୟ ସଂରକ୍ଷଣ ପଦ୍ଧତି, ରୋଷେଇ ଘରର ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ଭଳି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦେଇଥିଲେ।
ପ୍ରଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ଓ ଗୁଣବତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ଦେବା ସହିତ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ, ସ୍ୱାସ୍ଥ୍ୟକର ଓ ସମୟାନୁବର୍ତ୍ତୀ ଭାବେ ଭୋଜନ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ରୋଷେଇ ଘରର ସ୍ୱଚ୍ଛତା, ପାନୀୟ ଜଳର ବ୍ୟବହାର ଓ ଖାଦ୍ୟ ସାମଗ୍ରୀର ସଠିକ୍ ସଂରକ୍ଷଣ ପ୍ରଣାଳୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ତାଲିମ ଶିବିରରେ କଞ୍ଚଣା, ବଧିନୂଆପଲ୍ଲୀ, କେଶପୁର, ମଥୁରା, ଚିକିଲି ଓ ଡିମିରିଆ କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟରୁ ବହୁ ସଂଖ୍ୟକ ପାଚିକା ଓ ପାଚିକା ସହାୟିକା ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଶିବିର ପରିଚାଳନାରେ କେଶପୁର କ୍ଲଷ୍ଟର ସିଆରସିସି ପବନ କୁମାର ସ୍ୱାଇଁ ସକ୍ରିୟ ସହଯୋଗ କରିଥିଲେ। ଏହି ତାଲିମ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନର ମାନ ଉନ୍ନତ ହେବା ସହ ଛାତ୍ରଛାତ୍ରୀଙ୍କୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ପୌଷ୍ଟିକ ଖାଦ୍ୟ ଯୋଗାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।
- Trending




