ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ୍ ! ଗିରଫ ହେଲେ SCERTର ପୂର୍ବତନ ନିର୍ଦ୍ଦେଶକ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ବିବାଦ ମଧ୍ୟରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ପୁଲିସ ଗିରଫ କରିଛି। ତଦନ୍ତରେ ତାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି।

ପାଠ୍ୟପୁସ୍ତକରେ ତଥ୍ୟଗତ ଓ ସମ୍ପାଦନାଗତ ତ୍ରୁଟି ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘଦିନ ଧରି ପ୍ରଶ୍ନ ଉଠିଆସୁଥିଲା। ଘଟଣାର ତଦନ୍ତ ପରେ ପୁଲିସ ପୂର୍ବତନ ନିର୍ଦ୍ଦେଶକଙ୍କୁ ଗିରଫ କରିଥିବା ବେଳେ ଏହି ମାମଲାରେ ଆହୁରି କିଛି ଅଧିକାରୀଙ୍କ ଭୂମିକା ମଧ୍ୟ ଯାଞ୍ଚ ପରିସରକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

ଏହି ଘଟଣାକୁ ନେଇ ଶିକ୍ଷା ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା ଓ ଅନୁମୋଦନ ପ୍ରକ୍ରିୟାରେ ଅବହେଳା କିମ୍ବା ଅନିୟମିତତା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ପରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସେପଟେ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ କହିଛି ଯେ, ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଯୋଗୁ ରାଜ୍ୟ ସରକାରଙ୍କର ପ୍ରାୟ ୧୭୫ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନ ପ୍ରକ୍ରିୟାରେ କର୍ତ୍ତବ୍ୟରେ ଚରମ ଅବହେଳା କରାଯାଇଥିଲା। ଏପରିକି କେତେକ ତ୍ରୁଟି ଜାଣିଶୁଣି କରାଯାଇଥିବାର ସୂଚନା ମିଳିଥିବା କଥା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଏହି ଘଟଣା କେବଳ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଏହା ଏକ ଗୁରୁତର ଅବହେଳାର ମାମଲା ବୋଲି ତଦନ୍ତକାରୀ ସଂସ୍ଥା ଦାବି କରିଛି।

କ୍ରାଇମବ୍ରାଞ୍ଚ ଅନୁଯାୟୀ, ସେତେବେଳେ SCERTର ନିର୍ଦ୍ଦେଶକ ଭାବେ ମନୋଜ ପାଢ଼ୀଙ୍କ ଉପରେ ପାଠ୍ୟପୁସ୍ତକର ସମ୍ପୂର୍ଣ୍ଣ ତଦାରଖ, ସମନ୍ୱୟ, ନିରୀକ୍ଷଣ ଓ ଅନୁମୋଦନର ଦାୟିତ୍ୱ ଥିଲା। ଏହା ସତ୍ତ୍ୱେ ସଠିକ୍ ଯାଞ୍ଚ ନ କରି ପୁସ୍ତକଗୁଡ଼ିକୁ ମୁଦ୍ରଣ ପାଇଁ ପଠାଯାଇଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଅପରାଧିକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛି।

ଏହି ମାମଲାରେ ମନୋଜ ପାଢ଼ୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫), ୨୦୧, ୬୧(୨) ଏବଂ ୩/୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ସଂସ୍ଥା ଏହି ଘଟଣାରେ ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି।

ଏହି ଘଟଣା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ନିୟନ୍ତ୍ରଣ ଓ ଜବାବଦେହିତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ତଦନ୍ତ ଆଗକୁ ବଢ଼ିବା ସହ ଏହି ମାମଲାରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।