ଆମିର ଖାନଙ୍କୁ ଖୋଲା ଧମକ ! ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପୋଷ୍ଟକୁ ନେଇ ଚର୍ଚ୍ଚା

ନିକଟରେ ତୃତୀୟ ବିବାହ କରିଥିବା ବଲିଉଡ୍ ଅଭିନେତା ଆମିର ଖାନଙ୍କୁ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ଧମକ ଦିଆଯାଇଥିବା କୁହାଯାଉଛି। ତେବେ ଏହି ପୋଷ୍ଟର ସତ୍ୟତାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ।

ଅଭିଯୋଗ ଅନୁସାରେ, ଲରେନ୍ସ ବିଷ୍ଣୋଇଙ୍କ ଭାଇ ଆର୍ଜୁ ବିଷ୍ଣୋଇ ଏବଂ ଟାଇସନ ବିଷ୍ଣୋଇ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟ କରିଥିବା କୁହାଯାଉଛି।

ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ଯେ, ଆମିର ଖାନ ଦେଶରେ କଥିତ ‘ଲଭ୍ ଜିହାଦ’କୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ଭାରତୀୟ ସଂସ୍କୃତି ବିରୋଧୀ। ପୋଷ୍ଟରେ ଲେଖାଯାଇଛି, “ଆମେ ଏପରି କାର୍ଯ୍ୟକୁ ସହ୍ୟ କରିବୁ ନାହିଁ ଏବଂ ଆମିର ଖାନଙ୍କୁ ଖୁବଶୀଘ୍ର ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହା ସନାତନ ଧର୍ମ ଓ ଦେଶ ବିରୋଧୀ।”

ପୋଷ୍ଟରେ ଆହୁରି କୁହାଯାଇଛି ଯେ, “ଆମେ ଆମର ଭାଇ, ଭଉଣୀ ଓ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛୁ ଯେ, ଯେଉଁମାନେ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେବେ ସେମାନଙ୍କ ସହ ଆମେ ଆମ ଢଙ୍ଗରେ ମୁକାବିଲା କରିବୁ।”

ଏହି ପୋଷ୍ଟରେ ଗତ ମାସରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଅପହରଣ, ମାନବ ଚାଲାଣ ଓ ଯୌନ ନିର୍ଯାତନା ଘଟଣାର ଉଲ୍ଲେଖ କରାଯାଇଛି। ଏହି ମାମଲାରେ ପ୍ରଶାସନର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରାଯାଇଥିବା ବେଳେ କିଛି ରାଜନେତା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରାଯାଇଛି।

ପୋଷ୍ଟରେ ସତର୍କ କରାଯାଇଛି ଯେ, “ଏହା ଆମର ପ୍ରଥମ ଓ ଶେଷ ଚେତାବନୀ। ଯଦି ଏହି ଘଟଣାରେ ସାମାନ୍ୟତମ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ଆଇନରୁ ବଞ୍ଚିଯାଆନ୍ତି, ତେବେ ଆମେ ସେମାନଙ୍କୁ ଦଣ୍ଡ ଦେବୁ। ସେମାନଙ୍କୁ ସୁରକ୍ଷା ଦେଉଥିବା ରାଜନେତାମାନେ ମଧ୍ୟ ଏଥିରୁ ବଞ୍ଚିପାରିବେ ନାହିଁ।”

ଏଥିସହ ପୋଷ୍ଟରେ ଗ୍ୟାଙ୍ଗର ଦୁଇ ମୃତ ସଦସ୍ୟ ପରବେଶ ଓ ହିମାଂଶୁଙ୍କୁ ସ୍ମରଣ କରାଯାଇ କୁହାଯାଇଛି ଯେ, ସେମାନଙ୍କ ବଳିଦାନ ବୃଥା ଯିବ ନାହିଁ।

ପୋଲିସ ଯାଞ୍ଚ ଆରମ୍ଭ

ସୂତ୍ର ଅନୁସାରେ, ମୁମ୍ବାଇ ପୋଲିସ ଫେସବୁକ୍ ପୋଷ୍ଟ ଏବଂ ଏକ ଭଏସ୍ ନୋଟ୍ ମାଧ୍ୟମରେ ଏହି ଧମକ ସମ୍ପର୍କରେ ସୂଚନା ପାଇଛି। ବର୍ତ୍ତମାନ ପୋଲିସ ଏହାର ସତ୍ୟତା ଯାଞ୍ଚ କରୁଛି।

ତେବେ ଏପର୍ଯ୍ୟନ୍ତ ଆମିର ଖାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇନାହିଁ। ଅଭିଯୋଗ ମିଳିଲେ ପୋଲିସ ମାମଲା ରୁଜୁ କରିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସଲମାନ ଖାନଙ୍କୁ ମଧ୍ୟ ବର୍ଷ ବର୍ଷ ଧରି ଧମକ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୂର୍ବରୁ ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ଲଗାତାର ଧମକ ଦେଇଆସୁଛି।

୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଦାୟିତ୍ୱ ନେବା ପରେ ଏହି ଗ୍ୟାଙ୍ଗ ଦେଶବ୍ୟାପୀ ଚର୍ଚ୍ଚାରେ ଆସିଥିଲା।

ଗ୍ୟାଙ୍ଗର ଦାବି ଅନୁସାରେ, ୧୯୯୮ରେ ‘ହମ୍ ସାଥ୍ ସାଥ୍ ହୈଁ’ ଫିଲ୍ମର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟରେ କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ସେମାନେ ସଲମାନ ଖାନଙ୍କୁ ଟାର୍ଗେଟ୍ କରିଆସୁଛନ୍ତି।

୨୦୧୮ରେ କୋର୍ଟରେ ହାଜର ସମୟରେ ଲରେନ୍ସ ବିଷ୍ଣୋଇ କହିଥିଲେ, “ଆମେ ଯୋଧପୁରରେ ସଲମାନ ଖାନଙ୍କୁ ହତ୍ୟା କରିବୁ। ଯେତେବେଳେ ଆମେ କାର୍ଯ୍ୟ କରିବୁ, ସମସ୍ତେ ଜାଣିପାରିବେ।”

ଏହାଛଡ଼ା ୨୦୨୪ ଏପ୍ରିଲରେ ମୁମ୍ବାଇର ବାନ୍ଦ୍ରାରେ ସଲମାନ ଖାନଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡର ଦାୟିତ୍ୱ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିଲା। ସେହିପରି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ମଧ୍ୟ ଏହି ଗ୍ୟାଙ୍ଗର ନାମ ସାମ୍ନାକୁ ଆସିଥିଲା। ଗ୍ୟାଙ୍ଗର ଜଣେ ସଦସ୍ୟ ଦାବି କରିଥିଲେ ଯେ, ବାବା ସିଦ୍ଦିକ ସଲମାନ ଖାନଙ୍କ ଘନିଷ୍ଠ ଥିଲେ ଏବଂ ଯିଏ ସଲମାନଙ୍କୁ ସହଯୋଗ କରିବେ, ସେମାନେ ମଧ୍ୟ ସେମାନଙ୍କ ଟାର୍ଗେଟ୍‌ରେ ରହିବେ।