Blog
ପ୍ରବଳ ବର୍ଷାରେ ବଢ଼ିଲା ବନ୍ୟା ଭୟ ! ସନ୍ଧ୍ୟା ସୁଦ୍ଧା ଜଳମଗ୍ନ ହୋଇପାରେ ଏହି ସବୁ ଅଞ୍ଚଳ
ଉତ୍ତର ଓଡ଼ିଶାରେ ଲଗାତାର ପ୍ରବଳ ବର୍ଷା ପରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଥିବାରୁ ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।
ଜଳ ସମ୍ପଦ ବିଭାଗ ଅନୁସାରେ, ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମନଗର ସହ ଯାଜପୁର ଜିଲ୍ଲାର ନିମ୍ନାଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇପାରେ। ସେହିପରି ଜଳକା ନଦୀର ଜଳସ୍ତର ବଢ଼ିଲେ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ବାଲେଶ୍ୱର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ତେବେ ଜଳ ସମ୍ପଦ ବିଭାଗ ସ୍ପଷ୍ଟ କରିଛି ଯେ, ମହାନଦୀ ଅବବାହିକାରେ ବର୍ତ୍ତମାନ ସୁଦ୍ଧା ବନ୍ୟାର କୌଣସି ବଡ଼ ଆଶଙ୍କା ନାହିଁ। ହୀରାକୁଦ ଜଳଭଣ୍ଡାରର ପରିସ୍ଥିତି ସ୍ୱାଭାବିକ ରହିଥିବା ବେଳେ ଜଳ ନିଷ୍କାସନ ଉପରେ ନିରନ୍ତର ନଜର ରଖାଯାଉଛି।
ଉତ୍ତର ଓଡ଼ିଶାରେ ରେକର୍ଡ ବର୍ଷା
ଗତ ୨୪ ଘଣ୍ଟା ଧରି ଉତ୍ତର ଓଡ଼ିଶାରେ ହୋଇଥିବା ଅତି ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳପ୍ରବାହ ବଢ଼ିଛି। ବହୁ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ସର୍ବାଧିକ ବର୍ଷା ରେକର୍ଡ:
ବାଲେଶ୍ୱର ସହର – ୨୪୬.୬ ମିମି
ନୀଳଗିରି – ୨୩୯ ମିମି
ଜୟପୁର – ୨୩୬.୮ ମିମି
ରେମୁଣା – ୨୨୨ ମିମି
ଗୋବିନ୍ଦପୁର – ୨୧୩.୮ ମିମି
ରାଜଘାଟ – ୨୦୨ ମିମି
ଏହି ପ୍ରବଳ ବର୍ଷା ଯୋଗୁ ନଦୀ ଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଥିବାରୁ ନିମ୍ନାଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ରାଜ୍ୟର ବର୍ଷା ସ୍ଥିତି ଓ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍ରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି ଏବଂ ସମସ୍ତ ବିଭାଗ ସଜାଗ ଅଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ଅଧିକ। ସେହିପରି ୮ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ହୀରାକୁଦ ଡ୍ୟାମର କେବଳ ୨ଟି ଗେଟ୍ ଖୋଲାଯାଇଛି, ତେଣୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।
ନରାଜ ବ୍ୟାରେଜ୍ରେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ହେଲେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଜଳକା ନଦୀ ବ୍ୟତୀତ ମହାନଦୀ, ବୈତରଣୀ ଓ ସାଳନ୍ଦୀ ନଦୀ ବର୍ତ୍ତମାନ ବିପଦ ସଙ୍କେତ ତଳେ ରହିଛି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ମୁତୟନ କରାଯାଇଛି। ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରଶାସନର ଆହ୍ୱାନ
ସାଧାରଣ ଲୋକଙ୍କୁ ନଦୀକୂଳକୁ ନଯିବା, ଗୁଜବରେ ବିଶ୍ୱାସ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି । ବର୍ଷାର ପରିମାଣ ଏବଂ ଉପରମୁଣ୍ଡରୁ ଆସୁଥିବା ଜଳ ପ୍ରବାହକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।
- Trending




