ଆସନ୍ତା ୯ରେ ଖୋଲିବ ହୀରାକୁଦ ଗେଟ୍

ହୀରାକୁଦର ଜଳସ୍ତର ୬୦୬.୧୨ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ଏହି ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇ ପ୍ରାୟ ୨ ଲକ୍ଷ ୫୦ ହଜାର କ୍ୟୁସେକରେ ପହଞ୍ଚିବା ଆକଳନ କରାଯାଇଛି।

ଜଳଭଣ୍ଡାରକୁ ବଢ଼ୁଥିବା ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରେ ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ତେବେ କେତୋଟି ଗେଟ୍ ଖୋଲାଯିବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆସନ୍ତାକାଲିର ଜଳସ୍ତର ଓ ଜଳ ପ୍ରବେଶ ପରିମାଣକୁ ସମୀକ୍ଷା କରିବା ପରେ କେତୋଟି ଗେଟ୍ ଖୋଲାଯିବ, ତାହା ସ୍ଥିର କରାଯିବ।

ଅନ୍ୟପଟେ ମୁଣ୍ଡଳି ଦେଇ ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଜି ରାତି ସୁଦ୍ଧା ଏହା ବୃଦ୍ଧି ପାଇ ପ୍ରାୟ ୪ ଲକ୍ଷ ୫୦ ହଜାର କ୍ୟୁସେକରେ ପହଞ୍ଚିପାରେ। ତେବେ ଜଳପ୍ରବାହ ୫ ଲକ୍ଷ କ୍ୟୁସେକ ତଳେ ରହିବାର ଆକଳନ କରାଯାଇଥିବାରୁ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଜଳସ୍ତର ଓ ନଦୀଗୁଡ଼ିକରେ ଜଳପ୍ରବାହ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।