Blog
୨୬ ଦିନ ପରେ ଭାଙ୍ଗିଲେ ଅନଶନ ! ସୋନମ୍ ୱାଙ୍ଗଚୁକ୍ଙ୍କ ବଡ଼ ଘୋଷଣା
ପ୍ରାୟ ୨୬ ଦିନ ଧରି ଚାଲିଥିବା ଅନଶନକୁ ଶେଷ କରିଛନ୍ତି ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍। କେନ୍ଦ୍ର ସରକାର ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଜଳପାନ କରି ସେ ନିଜର ଉପବାସ ସମାପ୍ତ କରିଛନ୍ତି।
ଅନଶନ ଶେଷ କରିବା ପରେ ସୋନମ୍ ୱାଙ୍ଗଚୁକ୍ ସାମାଜିକ ଗଣମାଧ୍ୟମ ‘X’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ଏଥିସହ ଦେଶରେ ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ସେ ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ, ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ବ୍ୟକ୍ତିଗତ ଭାବେ ସାକ୍ଷାତ କରି କିମ୍ବା ଚିଠି ଲେଖି ତାଙ୍କୁ ଅନଶନ ଶେଷ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଆବେଦନ ଏବଂ ସରକାରଙ୍କ ସହ ବିଭିନ୍ନ ସର୍ତ୍ତାବଳୀ ଉପରେ ହୋଇଥିବା ଆଲୋଚନାକୁ ବିଚାର କରି ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।
ନିଜ ପୋଷ୍ଟରେ ୱାଙ୍ଗଚୁକ୍ ଆହୁରି ଲେଖିଛନ୍ତି, “ଖୁବ୍ ଶୀଘ୍ର ଏକ ଭିଡିଓ ଜାରି କରି ସରକାର ସହ ହୋଇଥିବା ଆଲୋଚନା, ସର୍ତ୍ତାବଳୀ ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେବି।”
ଏହାସହ ସେ ଦେଶବାସୀଙ୍କୁ ଶାନ୍ତି ଓ ସଂଯମ ବଜାୟ ରଖିବାକୁ ଅପିଲ୍ କରିଛନ୍ତି। କୌଣସି ସ୍ଥାନରେ ହିଂସା, ଅଶାନ୍ତି କିମ୍ବା ଆଇନଶୃଙ୍ଖଳା ଭଙ୍ଗ ନ ହେଉ, ସେଥିପାଇଁ ସମସ୍ତେ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି।
୨୬ ଦିନ ଧରି ଚାଲିଥିବା ଏହି ଅନଶନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନଶନ ଶେଷ ହେବା ପରେ ଏବେ ସରକାର ଏବଂ ୱାଙ୍ଗଚୁକ୍ଙ୍କ ମଧ୍ୟରେ ହୋଇଥିବା ସହମତି ଓ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
- Trending




