Blog
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନ ହେବା ଯାଏ ଆନ୍ଦୋଳନ ଜାରି !
ନିଟ୍ (NEET) ପ୍ରଶ୍ନପତ୍ର ଲିକ୍କୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କିମ୍ବା ପଦରୁ ବରଖାସ୍ତ କରିବାକୁ କକରୋଚ୍ ଜନତା ପାର୍ଟି (CJP) ଦାବି କରିଛି । କେନ୍ଦ୍ର ସରକାରଙ୍କ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଦଳ ସ୍ପଷ୍ଟ କରିଛି ଯେ, ଦାବି ପୂରଣ ନହେଲେ ଛାତ୍ର ଆନ୍ଦୋଳନ ଜାରି ରହିବ।
ଶୁକ୍ରବାର ନୂଆଦିଲ୍ଲୀର କନଷ୍ଟିଟ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଯୋଗ ଦେଇଥିଲେ। CJP ପକ୍ଷରୁ ଜାତୀୟ ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ଉପସ୍ଥିତ ଥିଲେ।
ବୈଠକ ପରେ ଆଶୁତୋଷ କହିଥିଲେ, “ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଉପରେ ସରକାର ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ଆମେ ଆଶା କରୁଛୁ ସରକାର ଶୀଘ୍ର ତାଙ୍କୁ ପଦରୁ ହଟାଇବେ। ଏଥିସହ ନିଟ୍ ଆଶାୟୀଙ୍କ ଆତ୍ମହତ୍ୟା ଘଟଣାରେ ପରିବାରକୁ କ୍ଷତିପୂରଣ ଓ ଛାତ୍ରଛାତ୍ରୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଓ ମାମଲା ପ୍ରତ୍ୟାହାର ଦାବିକୁ ସରକାର ନୀତିଗତ ଭାବେ ମଞ୍ଜୁର କରିଛନ୍ତି।”
CJP କହିଛି ଯେ, ସରକାର ଦୁଇଟି ସର୍ତ୍ତ ମାନିବା ପରେ ସେମାନେ ଆଲୋଚନାକୁ ରାଜି ହୋଇଥିଲେ। ସେହି ସର୍ତ୍ତ ହେଲା—
- ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ।
- ପରୀକ୍ଷାର ଅନିୟମିତତାରେ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦିଆଯିବ।
ବୈଠକ ପରେ ଜେ.ପି. ନଡ୍ଡା କହିଥିଲେ, “ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା। ସେମାନଙ୍କର ୩ଟି ପ୍ରମୁଖ ଦାବି ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ୫ଟି ପ୍ରସ୍ତାବ ରହିଛି। ଏସବୁ ଆଲୋଚନା କରି ଆସନ୍ତାକାଲି ପୁଣି ସେମାନଙ୍କ ସହ ବୈଠକ କରିବୁ।”
ଏହି ବୈଠକ ପୂର୍ବରୁ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ସରକାରଙ୍କ ଆଶ୍ୱାସନା ପରେ ଗୁରୁବାର ରାତିରେ ତାଙ୍କର ୨୬ ଦିନିଆ ଅନଶନ ଭାଙ୍ଗି ଥିଲେ । ୱାଙ୍ଗଚୁକ୍ କହିଥିଲେ, କେବଳ ମୌଖିକ ଆଶ୍ୱାସନାରେ ସେ ସନ୍ତୁଷ୍ଟ ନଥିଲେ ଏବଂ ଲିଖିତ ଦସ୍ତାବିଜ ମିଳିବା ପରେ ହିଁ ଅନଶନ ଭାଙ୍ଗିଥିଲେ।
ବୈଠକ ପୂର୍ବରୁ CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଧ୍ୟ କହିଥିଲେ, “ଯଦି ସରକାର ଏହି ଆନ୍ଦୋଳନର ସମାଧାନ ଚାହୁଁଛନ୍ତି, ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହିଁ ଏକମାତ୍ର ଉପାୟ।”
ଏହା ପୂର୍ବରୁ ଜୁଲାଇ ୨୦ ତାରିଖରେ ଉଭୟ ପକ୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ସେତେବେଳେ CJPର ନେତାମାନେ ଜେ.ପି. ନଡ୍ଡାଙ୍କ ବାସଭବନରେ ବୈଠକ କରିଥିଲେ। ପରେ ସେମାନେ ଅଭିଯୋଗ କରିଥିଲେ ଯେ, ବୈଠକ ସମୟରେ ସେମାନଙ୍କୁ ‘ଭର୍ଚୁଆଲ୍ ଡିଟେନ୍ସନ୍’ରେ ରଖାଯାଇଥିଲା। ଏହାପରେ ସେମାନେ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ସମସ୍ତ ଆଲୋଚନା ନିରପେକ୍ଷ ସ୍ଥାନରେ ହେବ।
ଏପଟେ ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତାରେ ଘୋଷଣା କରିଥିଲେ ଯେ, ପେପର ଲିକ୍ ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଡ଼ା ଦଣ୍ଡ ବ୍ୟବସ୍ଥା ସମ୍ବଳିତ ଏକ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ବିଚାର କରିବ। ସେ କହିଥିଲେ, “ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ପାଇଁ ମୁଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି।”
ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଚ୍ଚଶିକ୍ଷା ସଚିବ ଭିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ବଦଳି କରିଛନ୍ତି ଏବଂ ସ୍କୁଲ୍ ଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ନୂତନ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷା ମୂଲ୍ୟାୟନରେ ଅନିୟମିତତା ଅଭିଯୋଗକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିବାଦର କେନ୍ଦ୍ରବିନ୍ଦୁରେ ରହିଛି।
- Trending




