CMO ଫାଇଲ୍ ଗାଏବ ମାମଲାରେ ବଡ଼ ତଦନ୍ତ ! ଆକ୍ସନ୍ ମୋଡ୍‌ରେ କ୍ରାଇମବ୍ରାଞ୍ଚ

ରାଜ୍ୟ ରାଜନୀତି ଏବଂ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ଘଟଣାର ତଦନ୍ତକୁ ଏବେ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିଛି।

କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ପହଞ୍ଚି ପୂର୍ବରୁ ରୁଜୁ ହୋଇଥିବା ମାମଲାର ସମସ୍ତ କାଗଜପତ୍ର ଯାଞ୍ଚ କରିଛି। ଏହାସହ କ୍ୟାପିଟାଲ ଥାନା ପୁଲିସ ନିକଟରୁ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ, ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ନୋଟିସ ଜାରି ସମ୍ବନ୍ଧୀୟ ଦସ୍ତାବିଜ ସଂଗ୍ରହ କରିଛି। ଏହାପରେ କ୍ରାଇମବ୍ରାଞ୍ଚ ନିଜସ୍ୱ ଢଙ୍ଗରେ ତଦନ୍ତ ଆରମ୍ଭ କରିଛି।

ପୂର୍ବତନ ଅଧିକାରୀଙ୍କୁ ନୋଟିସ

ଏହି ମାମଲାରେ କ୍ୟାପିଟାଲ ଥାନା ପୁଲିସ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା, ଉପେନ୍ଦ୍ର ନାଥ ବେହେରା, ପୂର୍ବତନ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏବଂ ପୂର୍ବତନ IT ସଚିବ ମନୋଜ ମିଶ୍ରଙ୍କୁ ନୋଟିସ ଜାରି କରିଥିଲା।

ସେମାନଙ୍କ ମଧ୍ୟରୁ ମନୋଜ ମିଶ୍ର ଗତ ୧୮ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଭି. କେ. ପାଣ୍ଡିଆନ ବିଦେଶରେ ଥିବା କଥା ଇ-ମେଲ୍ ମାଧ୍ୟମରେ ପୁଲିସକୁ ଜଣାଇଛନ୍ତି। ତେବେ ଉପେନ୍ଦ୍ର ନାଥ ବେହେରା ଓ ରାଜେଶ ବର୍ମା ଏପର୍ଯ୍ୟନ୍ତ ନୋଟିସର କୌଣସି ଉତ୍ତର ଦେଇନଥିବା ସୂଚନା ମିଳିଛି।

କେଉଁ ଫାଇଲ ଗାଏବ?

ତଦନ୍ତର କେନ୍ଦ୍ରବିନ୍ଦୁରେ ରହିଛି ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ବହୁଚର୍ଚ୍ଚିତ ଫାଇଲ—

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ ପରବର୍ତ୍ତୀ କନ୍ଧମାଳ ଦଙ୍ଗା ସମ୍ପର୍କିତ ଜଷ୍ଟିସ୍ ଏ. ଏସ୍. ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ।

ଭୁବନେଶ୍ୱର ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର RDC ତଦନ୍ତ ରିପୋର୍ଟ।

ଏହି ଦୁଇଟି ଫାଇଲ CMOରୁ ନିଖୋଜ ହୋଇଥିବା ଅଭିଯୋଗ ଉଠିବା ପରେ ଘଟଣା ଅଧିକ ଗୁରୁତ୍ୱ ପାଇଛି।

ନିର୍ବାଚନ ଫଳାଫଳ ଦିନରୁ ଆରମ୍ଭ ହୋଇଥିଲା ସନ୍ଦେହ

ସୂଚନା ଅନୁସାରେ, ୨୦୨୪ ଜୁନ୍ ୪, ଅର୍ଥାତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ଦିନ CMOରେ ଥିବା ବିଭିନ୍ନ ବିଭାଗର ସରକାରୀ ଫାଇଲ ପୁଣି ନିଜ ନିଜ ବିଭାଗକୁ ଫେରାଇ ଦିଆଯାଇଥିଲା। ଗୃହ ବିଭାଗର ଅଧିକାଂଶ ଫାଇଲ ମଧ୍ୟ ଫେରିଥିଲା।

କିନ୍ତୁ ଯାଞ୍ଚ ବେଳେ ଦେଖାଯାଇଥିଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ କନ୍ଧମାଳ ଦଙ୍ଗା ସମ୍ପର୍କିତ ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ଗୃହ ବିଭାଗକୁ ଫେରିନଥିଲା। ଏହାପରେ ଫାଇଲ ଗାଏବ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଥିଲା।

ପ୍ରମାଣ ଲୁଚାଇବାକୁ ଷଡଯନ୍ତ୍ର?

ତଦନ୍ତକାରୀ ସଂସ୍ଥା ପ୍ରାଥମିକ ସ୍ତରରେ ସମସ୍ତ ଦିଗକୁ ନଜରରେ ରଖିଛି। ଏହି ଦୁଇଟି ଫାଇଲ ଉଦ୍ଦେଶ୍ୟମୂଳକ ଭାବେ ଗାଏବ କରାଯାଇଥିଲା କି, କିମ୍ବା ପ୍ରଶାସନିକ ଅବହେଳା ଯୋଗୁଁ ନିଖୋଜ ହୋଇଛି, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ବିଶେଷକରି କୌଣସି ସମ୍ବେଦନଶୀଳ ପ୍ରମାଣକୁ ଲୁଚାଇବା ଉଦ୍ଦେଶ୍ୟରେ ଫାଇଲ ହଟାଯାଇଥିଲା କି ନାହିଁ, ସେହି ଦିଗରେ ମଧ୍ୟ ତଦନ୍ତ ଚାଲିଛି।

କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ନଜର

ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ DSP ଆଶୁତୋଷ ମିଶ୍ରଙ୍କୁ ଦିଆଯାଇଛି। ସମଗ୍ର ତଦନ୍ତ ପ୍ରକ୍ରିୟାକୁ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ସିଧାସଳଖ ତଦାରଖ କରୁଛନ୍ତି। ଆଗାମୀ ଦିନରେ ଆହୁରି କିଛି ଅଧିକାରୀଙ୍କୁ ପଚରାଉଚରା କରାଯିବା ସହ ଆବଶ୍ୟକ ପଡ଼ିଲେ ପୁନର୍ବାର ନୋଟିସ ଜାରି ହୋଇପାରେ।

ଏହି ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ କେଉଁ ଦିଗକୁ ଗତି କରୁଛି ଏବଂ ଫାଇଲ ଗାଏବ ପଛରେ କିଏ କିମ୍ବା କେଉଁ ପରିସ୍ଥିତି ଦାୟୀ, ତାହା ଆସନ୍ତା ଦିନର ତଦନ୍ତରୁ ସ୍ପଷ୍ଟ ହେବ।