CMO ଫାଇଲ୍ ନିଖୋଜ ମାମଲାରେ ବଡ଼ ଖୁଲାସା ! ହାର୍ଡ ଡିସ୍କରୁ ଡିଲିଟ୍ ହୋଇଥିଲା ରିପୋର୍ଟ

ସିଏମଓ (ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ନିଖୋଜ ରିପୋର୍ଟକୁ ଖୋଜି ବାହାର କରିବା। ଏହି ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି।

ମନ୍ତ୍ରୀ କହିଛନ୍ତି ଯେ, ନିଖୋଜ ରିପୋର୍ଟ ମିଳିପାରେ କିମ୍ବା ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଇପାରେ। ଯଦି ରିପୋର୍ଟ ଉଦ୍ଧାର ହୁଏ, ତେବେ ତାହାକୁ ସାର୍ବଜନୀନ କରିବାକୁ ସରକାର ବିଚାର କରିବେ। କିନ୍ତୁ ଯଦି ରିପୋର୍ଟ ମିଳିବ ନାହିଁ, ତେବେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ପାଇଁ ଏହା ଗାଏବ ହୋଇଛି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଆହୁରି କହିଛନ୍ତି ଯେ, ରିପୋର୍ଟ ଦାଖଲ ହେବା ପୂର୍ବରୁ ଏହା କମ୍ପ୍ୟୁଟରର ହାର୍ଡ ଡିସ୍କରୁ ଡିଲିଟ୍ ହୋଇଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଡାଟାକୁ ପୁନରୁଦ୍ଧାର (ରିଟ୍ରାଇଭ୍) କରିହେବ କି ନାହିଁ, ସେନେଇ ବୈଷୟିକ ଉଦ୍ୟମ ଆରମ୍ଭ କରାଯାଇଛି। ତଦନ୍ତରେ ସମସ୍ତ ବିକଳ୍ପ ଉପରେ କାମ କରାଯାଉଥିବା ସେ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, କିଛି ପାଣ୍ଡୁଲିପି ଜଷ୍ଟିସ ନାଇଡୁଙ୍କ ପାଖରେ ସୁରକ୍ଷିତ ରହିଛି। ଏହାଛଡ଼ା କିଛି ସାକ୍ଷ୍ୟଜନିତ ନଥିପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଯଦି ମୂଳ ରିପୋର୍ଟ ମିଳିବ ନାହିଁ, ତେବେ ଉପଲବ୍ଧ ଦସ୍ତାବିଜ ଏବଂ ସାକ୍ଷ୍ୟ ଆଧାରରେ ନୂଆ ରିପୋର୍ଟ ପ୍ରସ୍ତୁତ କରିବାର ବିକଳ୍ପ ମଧ୍ୟ ରହିଛି। ତେବେ ଏଥିପାଇଁ ସରକାର ଏବଂ ପୂର୍ବ କମିଶନଙ୍କ ସହମତି ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ, ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ପ୍ରକୃତରେ ଘଟଣାର ନିରପେକ୍ଷ ତଦନ୍ତ କରୁଛନ୍ତି କି ନାହିଁ, ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ସରକାରଙ୍କ ତଦନ୍ତରେ ଆନ୍ତରିକତା ଅଛି କି ନା କେବଳ ସ୍ଲୋଗାନବାଜିରେ ସୀମିତ ରହିଛି, ସେନେଇ ଜନସାଧାରଣ ପ୍ରଶ୍ନ କରୁଥିବା ସେ କହିଛନ୍ତି।