Blog
ମହାନଦୀରେ ବଢ଼ୁଛି ବନ୍ୟା ବିପଦ ! ତଳିଆ ଅଞ୍ଚଳ ପାଇଁ ହାଇ ଆଲର୍ଟ
ରାଜ୍ୟରେ ବର୍ଷା ଜନିତ ବନ୍ୟା ପରିସ୍ଥିତି ଉପରେ ଜଳ ସମ୍ପଦ ବିଭାଗ ନଜର ରଖିଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ବନ୍ୟା ସ୍ଥିତି ନେଇ ସବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨ଟି ଗେଟ୍ ଖୋଲା ରହିଛି ଏବଂ ଜଳଭଣ୍ଡାରର ଜଳସ୍ତର ୬୧୬ ଫୁଟ୍ ରହିଛି।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମହାନଦୀ ତଳ ଅବବାହିକାର ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।
ଦୟା ଓ ମହାନଦୀ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
ମୁଣ୍ଡଳୀରେ ଜଳପ୍ରବାହ ବଢ଼ିବା ସହ ଦୟା ନଦୀ ଓ ମହାନଦୀର ତଳ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ପ୍ରକାଶ କରିଛି ଜଳ ସମ୍ପଦ ବିଭାଗ। ବିଶେଷକରି ନିମାପଡା, କଣାସ, ଗୋପ ଓ ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିପାରେ ବୋଲି ସତର୍କ କରାଯାଇଛି। ସ୍ଥାନୀୟ ପ୍ରଶାସନକୁ ପୂର୍ବ ପ୍ରସ୍ତୁତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈତରଣୀରେ ବନ୍ୟା ଜାରି, ସାଳନ୍ଦୀରେ ସୁଧୁରୁଛି ସ୍ଥିତି
ଅନ୍ୟପଟେ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଏବେ ବି ବଜାୟ ରହିଛି। ଏହାର ପ୍ରଭାବରେ ଯାଜପୁର, ଦଶରଥପୁର, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି। ତେବେ ସାଳନ୍ଦୀ ନଦୀରେ ଇନଫ୍ଲୋ କମିଥିବାରୁ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଭଦ୍ରକରେ କାଲି ସୁଦ୍ଧା ସୁଧୁରିବ ସ୍ଥିତି
ଜଳ ସମ୍ପଦ ବିଭାଗର ଆକଳନ ଅନୁସାରେ, ଭଦ୍ରକ ଜିଲ୍ଲାର ବନ୍ୟା ସ୍ଥିତି ଆସନ୍ତାକାଲି ସୁଦ୍ଧା ସ୍ୱାଭାବିକ ହେବାର ସମ୍ଭାବନା ରହିଛି। ଜଳସ୍ତର କମିବା ସହ ବିଭିନ୍ନ ଅଞ୍ଚଳରୁ ବନ୍ୟା ପାଣି ଧୀରେ ଧୀରେ ନିଷ୍କାସନ ହେବ ବୋଲି ଆଶା କରାଯାଉଛି।
ଆନନ୍ଦପୁର ଓ ଯାଜପୁରରେ ଘାଇ
ସର୍ବୋଚ୍ଚ ଯନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆନନ୍ଦପୁର ଓ ଯାଜପୁର ଅଞ୍ଚଳରେ ଛୋଟ ଧରଣର ଘାଇ ସୃଷ୍ଟି ହୋଇଛି। ବର୍ତ୍ତମାନ ବନ୍ୟା ପାଣି ଅଧିକ ଥିବାରୁ ମରାମତି କାମ ସମ୍ଭବ ହେଉନାହିଁ। ଜଳସ୍ତର କମିବା ପରେ ତୁରନ୍ତ ଘାଇ ମରାମତି କାମ ଆରମ୍ଭ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜଳ ସମ୍ପଦ ବିଭାଗ ଲୋକଙ୍କୁ ନଦୀକୂଳ ଏବଂ ତଳିଆ ଅଞ୍ଚଳରେ ଅଯଥା ଯିବାକୁ ବାରଣ କରିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରିଛି।
- Trending




