ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସଙ୍କଟ ସମୟରେ ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସ୍ଥିତି ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯାଇଛି।

ରାଜ୍ୟର ବନ୍ୟା ପରିସ୍ଥିତି ଓ ଏଥିଯୋଗୁ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ତତ୍ପରତାର ସହ କାର୍ଯ୍ୟ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ୩ ଦିନ ମଧ୍ୟରେ ପ୍ରସ୍ତୁତ କରି ଦାଖଲ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, କେବଳ କାର୍ଯ୍ୟାଳୟରେ ବସି ସୂଚନା ସଂଗ୍ରହ କରିବା ପରିବର୍ତ୍ତେ ଅଧିକାରୀମାନେ ସିଧାସଳଖ ଗ୍ରାଉଣ୍ଡକୁ ଯାଇ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ପରଖିବେ। କେଉଁଠି ରାସ୍ତା, ପୋଲ, ପାନୀୟ ଜଳ ବ୍ୟବସ୍ଥା କିମ୍ବା ଅନ୍ୟାନ୍ୟ ଗ୍ରାମୀଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି, ସେସବୁର ସଠିକ୍ ତଥ୍ୟ ସଂଗ୍ରହ କରି ରିପୋର୍ଟରେ ସାମିଲ କରାଯିବ।

ବନ୍ୟା ପରେ ପାନୀୟ ଜଳର ସୁରକ୍ଷାକୁ ମଧ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯେଉଁ ସ୍ଥାନରେ ଟ୍ୟୁବୱେଲର ପାଣି ଦୂଷିତ କିମ୍ବା ସଂକ୍ରମିତ ହୋଇଛି, ସେଠାରେ ତୁରନ୍ତ ଡିସଇନଫେକସନ୍ (ଜୀବାଣୁମୁକ୍ତ) କାର୍ଯ୍ୟ କରିବାକୁ ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗ ଯେପରି ନ ବ୍ୟାପେ, ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

ଏହାସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ ପାଣି ଟାଙ୍କି ସ୍ଥାପନ କରାଯାଇଛି। ଆବଶ୍ୟକତା ଥିବା ଅଞ୍ଚଳକୁ ମୋବାଇଲ୍ ଜଳ ବିତରଣ ଭ୍ୟାନ୍ ମାଧ୍ୟମରେ ପାଣି ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ ଶୀଘ୍ର ମୌଳିକ ସୁବିଧା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।