କାଫେରେ ବୟଫ୍ରେଣ୍ଡ ସହ ମିଶି ଭାବି ସ୍ୱାମୀର ହତ୍ୟା ପ୍ଲାନ କରିଥିଲା ଯୁବତୀ !

ମହାରାଷ୍ଟ୍ରର ଲୋହାଗଡ଼ ଦୁର୍ଗରୁ ଭାବି ସ୍ୱାମୀ କେତନ ଅଗ୍ରୱାଲଙ୍କୁ ଠେଲି ହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ସିୟା ଗୋୟଲ ପୁଣେର ଏକ କାଫେରେ ତାଙ୍କ ପ୍ରେମିକ ଚେତନ ବାବୁଲାଲ ଚୌଧୁରୀଙ୍କୁ ଭେଟି ଥିଲେ। ପୋଲିସ ଉଭୟଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଜୁନ୍ ୧୮ରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ପ୍ରଥମେ ଦୁର୍ଘଟଣା ବୋଲି ଧରି ନିଆଯାଇଥିଲା । ହେଲେ ପରେ ଜଣାପଡିଥିଲା ଯେ, ଏହା ଏକ ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟା ଥିଲା। ସବୁଠାରୁ ବଡ଼ କଥା, ହତ୍ୟାକାରୀ ଆଉ କେହି ନୁହନ୍ତି, ହତ୍ୟାକାରୀ ହେଉଛନ୍ତି ତାଙ୍କ ଭାବି ପତ୍ନୀ, ଯିଏକି ପ୍ରେମିକ ସହ ମିଶି ତାଙ୍କ ଭାବି ସ୍ୱାମୀର ହତ୍ୟା କରିଛି।

କାଫେରେ ବସି ହୋଇଥିଲା ହତ୍ୟାର ବ୍ଲୁପ୍ରିଣ୍ଟ…

ପୋଲିସର ସୂଚନା ଅନୁସାରେ, ଜୁନ୍ ୧୮ରେ ସିୟା ଓ ଚେତନ ପୁଣେର ଏକ କାଫେରେ ବସି କେତନଙ୍କୁ କିପରି ହତ୍ୟା କରିବେ ସେନେଇ ଯୋଜନା କରିଥିଲେ। ଦୁର୍ଗର କେଉଁ ସ୍ଥାନରୁ ତାଙ୍କୁ ଠେଲି ଦିଆଯିବ, ତାହା ମଧ୍ୟ ଚୂଡ଼ାନ୍ତ କରିଥିଲେ।

ସେହିଦିନ ଅପରାହ୍ନରେ ସିୟା କେତନଙ୍କୁ ଲୋହାଗଡ଼ ଦୁର୍ଗକୁ ନେଇଥିବା ବେଳେ ଚେତନ ଅନ୍ୟ ଏକ ରାସ୍ତାରେ ସେମାନଙ୍କୁ ପିଛା କରିଥିଲା । ପ୍ରାୟ ୩ରୁ ୪ ଘଣ୍ଟାର ଟ୍ରେକିଂ ପରେ ସୁଯୋଗ ଦେଖି ଉଭୟେ କେତନଙ୍କୁ ପଛପଟୁ ଠେଲି ଖାଇକୁ ଫିଙ୍ଗି ଦେଇଥିବା ପୋଲିସ କହିଛି।

ଏହି ଘଟଣା ପୂର୍ବରୁ କାଫେରେ ଉଭୟେ ଆଲୋଚନା କରୁଥିବାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି।

Siya Goyal and Chetan Chaudhary allegedly met at a cafe to plot Ketan Agarwal’s murder. New videos of the two at an eatery have surfaced as investigators claim they used such meetings to hatch the conspiracy.#Pune pic.twitter.com/nFmXliPU2x
— Vani Mehrotra (@vani_mehrotra) June 25, 2026

ପୂର୍ବରୁ ମଧ୍ୟ ହୋଇଥିଲା ହତ୍ୟା ପାଇଁ ପ୍ରୟାସ କରିଥିଲେ…

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ସିୟା ବାରମ୍ବାର କେତନଙ୍କୁ ଲୋହାଗଡ଼ ଦୁର୍ଗକୁ ନେବାକୁ ଚେଷ୍ଟା କରୁଥିଲା ।

  • ମେ ୩୧: ଉଭୟେ ପ୍ରଥମ ଥର ଦୁର୍ଗକୁ ଯାଇଥିଲେ।
  • ଜୁନ୍ ୪: ପୁଣି ଯିବାକୁ ସିୟା କହିଥିଲା, କିନ୍ତୁ କେତନଙ୍କ ମା’ ଅନୁମତି ଦେଇନଥିଲେ।
  • ଜୁନ୍ ୧୪: ସିୟା ପୁଣି କେତନଙ୍କୁ ସେଠାକୁ ନେଇଥିଲା ଏବଂ ସେଠାରେ ତାଙ୍କୁ ଠେଲିବାକୁ ଚେଷ୍ଟା କରିଥିଲା ।

ପ୍ରଥମ ଥର ଯେତେବେଳେ ସିୟା, କେତନଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲା ସେତେବେଳେ କେତନ ନିଜ ପ୍ରାଣ ବଞ୍ଚାଇ ଦେଇଥିଲା । ସେ କାହିଁକି ଠେଲିଲେ ବୋଲି ପଚାରିବାରୁ ସିୟା ସାପ ଦେଖିଥିବାର ବାହାନା କରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା କହିଥିଲେ।

ସିସିଟିଭିରୁ ଖୋଲିଲା ଷଡ଼ଯନ୍ତ୍ରର ଗୁମର…

ତଦନ୍ତ ସମୟରେ ପୋଲିସ ଦୁର୍ଗର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସେଥିରେ ଜଣେ ବ୍ୟକ୍ତି ସର୍ଟସ୍ ଓ ହୁଡି ପିନ୍ଧି କେତନ ଓ ସିୟାଙ୍କ ପଛେ ପଛେ ଯାଉଥିବା ଦେଖାଯାଇଥିଲା। ମୁହଁ ଲୁଚାଇବା ପାଇଁ ସେ ହୁଡି ଓ ହେଡସେଟ୍ ବ୍ୟବହାର କରିଥିଲେ ।

ଏକ ଫୁଟେଜ୍‌ରେ ସିୟା ହଠାତ୍ ପଛକୁ ଚାହିଁବା ପରେ ସେହି ବ୍ୟକ୍ତି ତୁରନ୍ତ ବସିପଡ଼ୁଥିବା ଦେଖାଯାଇଥିଲା।

ସେହିଦିନ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ସେଲସିୟସ୍ ଥିବା ସତ୍ତ୍ୱେ ହୁଡି ପିନ୍ଧିବା ପୋଲିସର ସନ୍ଦେହ ବଢ଼ାଇଥିଲା।

କଲ୍ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଗତ ୬ରୁ ୭ ମାସ ମଧ୍ୟରେ ସିୟା ଓ ଚେତନଙ୍କ ମଧ୍ୟରେ ୨,୦୦୪ଟି ଫୋନ୍ କଲ୍ ହୋଇଥିଲା, ଯାହାର ମୋଟ ସମୟ ପ୍ରାୟ ୨୩୮ ଘଣ୍ଟା ଥିଲା। କେତେକ କଲ୍ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ପୋଲିସ ସୋସିଆଲ ମିଡିଆ ଫଟୋ ଓ ସିସିଟିଭି ଫୁଟେଜ୍‌ର ତୁଳନା କରି ଚେତନଙ୍କ ପରିଚୟ ସ୍ଥିର କରିଥିଲା। ପଚରାଉଚରା ବେଳେ ଉଭୟଙ୍କ ବୟାନରୁ ଅନେକ ପ୍ରମାଣ ମିଳିଥିଲା।

ହତ୍ୟା ପଛର କାରଣ…

କେତନ ଅଗ୍ରୱାଲ ତାଙ୍କ ପରିବାରର ରିଅଲ୍ ଇଷ୍ଟେଟ୍ କମ୍ପାନୀ ସକ୍ସେସ୍ ଗ୍ରୁପ୍ର ନିର୍ଦ୍ଦେଶକ ଓ ଚିଫ୍ ମାର୍କେଟିଂ ଅଫିସର ଥିଲେ। ସିୟା ଏକ ଘରୋଇ କଲେଜରୁ କମର୍ସରେ ସ୍ନାତକ ହାସଲ କରିଥିଲେ ।

ଚଳିତ ବର୍ଷ ଫେବୃଆରୀରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ଏବଂ ନଭେମ୍ବରରେ ଉଦୟପୁରରେ ଏକ ରାଜପ୍ରସାଦରେ ବିବାହ ପାଇଁ ବୁକିଂ ହୋଇଥିଲା।

ପୋଲିସ ଅନୁସାରେ, ସିୟା ବିବାହ କରିବାକୁ ଚାହୁଁନଥିଲା । କାହିଁକି ନା ସିୟା ଓ ଚେତନଙ୍କ ସମ୍ପର୍କରେ କେତନ ବାଧକ ସାଜିଥିଲେ। ବାଲିରେ ପ୍ରି-ୱେଡିଂ ଫଟୋସୁଟ୍ ପୂର୍ବରୁ ହିଁ ସେମାନେ କେତନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଜୁନ୍ ୬ରେ ମୁମ୍ବାଇ ବିମାନବନ୍ଦର ଯିବା ବେଳେ ସିୟା କେତନଙ୍କ ପାସପୋର୍ଟକୁ ଗାଡ଼ିରୁ ବାହାର କରି ଏକ ମହିଳା ଶୌଚାଳୟରେ ଲୁଚାଇ ଦେଇଥିବା ପୋଲିସ ଅଭିଯୋଗ କରିଛି। ଫଳରେ ବାଲି ଯାତ୍ରା ବାତିଲ ହୋଇଥିଲା।

ପଚରାଉଚରା ବେଳେ ପୋଲିସ ଚେତନଙ୍କୁ ପଚାରିଥିଲା ଯେ, ସେମାନେ ପଳାଇ ବିବାହ କାହିଁକି କଲେ ନାହିଁ। ଏହାର ଉତ୍ତରରେ ସେ କହିଥିଲେ ଯେ, ସିୟା ନିର୍ବନ୍ଧ ଭାଙ୍ଗିବାକୁ ଚାହୁଁନଥିଲେ, କାରଣ ଏହା ତାଙ୍କ ପରିବାରର ସମ୍ମାନକୁ କ୍ଷୁର୍ଣ୍ଣ କରିବ ବୋଲି ସେ ଭାବୁଥିଲେ।