Blog
ରେଳ ଷ୍ଟେସନରେ ଏଣ୍ଟ୍ରି କଲା AI ! ୨୪ ଘଣ୍ଟା ଯାତ୍ରୀଙ୍କ ସୁରକ୍ଷାରେ ‘DAC ଅର୍ଜୁନ’
ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ ଓ ପ୍ରଯୁକ୍ତିନିର୍ଭର କରିବା ପାଇଁ ପୂର୍ବତଟ ରେଳ (East Coast Railway) ଏକ ଅଭିନବ ପଦକ୍ଷେପ ନେଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଅତ୍ୟାଧୁନିକ ସୁରକ୍ଷା ରୋବଟ ‘DAC ଅର୍ଜୁନ’ କୁ ରେଳ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ମାର୍ଟ ରୋବଟ ଷ୍ଟେସନ ପରିସରରେ ୨୪ ଘଣ୍ଟା ନଜର ରଖାଯିବ ସହ ଯାତ୍ରୀଙ୍କୁ ଆବଶ୍ୟକ ସୂଚନା ମଧ୍ୟ ପ୍ରଦାନ କରାଯିବ।
ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ରେଳ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଧୁନିକ ପ୍ରଯୁକ୍ତିର ସହାୟତାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ଷମ କରିବାର ଆବଶ୍ୟକତା ରହିଛି। ସେହି ଲକ୍ଷ୍ୟକୁ ସାମ୍ନାରେ ରଖି AI ଆଧାରିତ ରୋବଟ ‘DAC ଅର୍ଜୁନ’ କୁ ପ୍ରସ୍ତୁତ କରାଯାଇଛି।
ଏହି ରୋବଟରେ ୭ଟି ୩୬୦ ଡିଗ୍ରୀ AI କ୍ୟାମେରା ସଂଯୋଜିତ ହୋଇଛି। ଏହି କ୍ୟାମେରା ଗୁଡ଼ିକ ଷ୍ଟେସନର ପ୍ରତ୍ୟେକ କୋଣକୁ ସବୁବେଳେ ନଜରରେ ରଖିବ। କେହି ଯାତ୍ରୀ ଅସାବଧାନତାବଶତଃ ରେଳ ଟ୍ରାକକୁ ଓହ୍ଲାଇଲେ, କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା କାର୍ଯ୍ୟକଳାପ ଦେଖାଦେଲେ, ଛାଡ଼ି ଯାଇଥିବା ସନ୍ଦେହଜନକ ବ୍ୟାଗ୍ କିମ୍ବା ବସ୍ତୁ ଚିହ୍ନଟ ହେଲେ, ଅଗ୍ନିକାଣ୍ଡ କିମ୍ବା ଧୂଆଁ ଭଳି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ, ରୋବଟ ତୁରନ୍ତ ସେହି ସୂଚନାକୁ ରେଳ ସୁରକ୍ଷା ବଳ (RPF) ଓ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ପଠାଇବ। ଫଳରେ ଦୁର୍ଘଟଣା କିମ୍ବା ଅପ୍ରୀତିକର ଘଟଣାକୁ ଆରମ୍ଭରୁ ରୋକିବାରେ ସହାୟତା ମିଳିବ।
କେବଳ ସୁରକ୍ଷା ନୁହେଁ, ‘DAC ଅର୍ଜୁନ’ ଯାତ୍ରୀ ସେବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଯାତ୍ରୀମାନେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମୟ, ପ୍ଲାଟଫର୍ମ ନମ୍ବର, ଷ୍ଟେସନର ବିଭିନ୍ନ ସୁବିଧା, ଜରୁରୀକାଳୀନ ସହାୟତା ଓ ଅନ୍ୟାନ୍ୟ ରେଳ ସମ୍ପର୍କିତ ସୂଚନା ରୋବଟ ମାଧ୍ୟମରେ ପାଇପାରିବେ। ଏହା ଫଳରେ ଯାତ୍ରୀଙ୍କୁ ସୂଚନା ପାଇବାରେ ସହଜତା ଆସିବ ଏବଂ ରେଳ କର୍ମଚାରୀଙ୍କ ଉପରେ ଚାପ ମଧ୍ୟ କମିବ।
ପ୍ରଥମ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା ଅବସରରେ ଅଧିକ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଏହି AI ରୋବଟକୁ ନିୟୋଜିତ କରାଯିବ। ପୁରୀରେ ଏହାର କାର୍ଯ୍ୟଦକ୍ଷତା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ରେଳ ଷ୍ଟେସନ ସମେତ ପୂର୍ବତଟ ରେଳର ଅନ୍ୟାନ୍ୟ ପ୍ରମୁଖ ଷ୍ଟେସନରେ ମଧ୍ୟ ଏହାକୁ ମୁତୟନ କରାଯିବ।
ରେଳ ବିଶେଷଜ୍ଞଙ୍କ ମତରେ, AI ଆଧାରିତ ନଜରଦାରି ବ୍ୟବସ୍ଥା କେବଳ ସୁରକ୍ଷାକୁ ସୁଦୃଢ଼ କରିବ ନାହିଁ, ବରଂ ଷ୍ଟେସନ ପରିଚାଳନାକୁ ଅଧିକ ସ୍ମାର୍ଟ, ଦ୍ରୁତ ଓ ଦକ୍ଷ କରିବ। ଆଗାମୀ ଦିନରେ ଏଭଳି AI ପ୍ରଯୁକ୍ତିର ବ୍ୟବହାର ଦେଶର ଅନ୍ୟାନ୍ୟ ବଡ଼ ରେଳ ଷ୍ଟେସନରେ ମଧ୍ୟ ବ୍ୟାପକ ଭାବେ ହେବାର ସମ୍ଭାବନା ରହିଛି।
- Trending




