ଓଡ଼ିଶାକୁ କେନ୍ଦ୍ରର ଡବଲ୍ ଉପହାର ! ୨ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶକୁ ଆହୁରି ଗତି ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୩ ହଜାର ୯୦୭ କୋଟି ଟଙ୍କା ବ୍ୟୟ କରାଯିବ। ୨୦୩୦-୩୧ ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ପାରାଦୀପ–ହରିଦାସପୁର ରେଳ ଲାଇନର ଦୋହରୀକରଣ ଏବଂ ରାଜଖରସୁଆଁ–ଡାଙ୍ଗପୋଷି ରେଳପଥକୁ ଚାରି ଲାଇନରେ ପରିଣତ କରିବା ପ୍ରମୁଖ। ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ରେଳ ପରିବହନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଶିଳ୍ପ, ବନ୍ଦର ଏବଂ ଖଣି ଅଞ୍ଚଳର ମାଲ ପରିବହନରେ ବଡ଼ ଧରଣର ସୁବିଧା ସୃଷ୍ଟି ହେବ।

ପାରାଦୀପ ବନ୍ଦର ଦେଶର ଏକ ପ୍ରମୁଖ ବାଣିଜ୍ୟିକ ବନ୍ଦର ହୋଇଥିବାବେଳେ, ଏହା ସହ ରେଳ ସଂଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପାରାଦୀପ–ହରିଦାସପୁର ରେଳପଥର ଦୋହରୀକରଣ କରାଯିବ। ଏହା ଫଳରେ ମାଲବାହୀ ଟ୍ରେନ୍ ଚଳାଚଳ ବୃଦ୍ଧି ପାଇବ ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଲାଭବାନ ହେବେ।

ସେହିପରି ରାଜଖରସୁଆଁ–ଡାଙ୍ଗପୋଷି ରେଳପଥକୁ ଚାରି ଲାଇନରେ ପରିଣତ କରାଯିବା ଦ୍ୱାରା ଏହି ବ୍ୟସ୍ତ ରେଳ କରିଡରରେ ଟ୍ରେନ୍ ଚଳାଚଳ କ୍ଷମତା ବହୁଗୁଣ ବୃଦ୍ଧି ପାଇବ। ଏହା ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ପରିଚାଳନାକୁ ଅଧିକ ସୁଗମ କରିବା ସହ ସମୟ ସଞ୍ଚୟରେ ସହାୟକ ହେବ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ଓଡ଼ିଶା ରେଲୱେ ପାଇଁ ଏକ ଡବଲ୍ ଉପହାର ବୋଲି କୁହାଯାଉଛି। ଏହା ଫଳରେ ରାଜ୍ୟରେ ଶିଳ୍ପ ନିବେଶ, ବାଣିଜ୍ୟିକ କାରବାର, ରୋଜଗାର ସୁଯୋଗ ଏବଂ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।