Blog
ଜନଶୁଣାଣିରେ ଜନସ୍ରୋତ, ୧୭୬ ଅଭିଯୋଗର ଶୁଣାଣି !
ସରକାରୀ କାର୍ଯ୍ୟାଳୟର ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ନ ପଡ଼ୁ । ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ହେଉ ଆଉ ପ୍ରଶାସନ ସିଧାସଳଖ ଲୋକଙ୍କ କଥା ଶୁଣୁ । ଏହି ଉଦ୍ଦେଶ୍ୟକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ଯୁଗ୍ମ ଜନଶୁଣାଣି ଶିବିର, ସକାଳରୁ ହିଁ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ଶତାଧିକ ଲୋକ ନିଜ ନିଜ ସମସ୍ୟା ନେଇ ଶିବିରରେ ପହଞ୍ଚିଥିଲେ । କାହାର ଜମି ସମସ୍ୟା, କାହାର ରାସନ କାର୍ଡ, କାହାର ବାର୍ଦ୍ଧକ୍ୟ ଭତ୍ତା, ତ ଆଉ କାହାର ଆବାସ ଯୋଜନାରେ ନାଁ ନଥିବା ଅଭିଯୋଗ ।
ଏହାଛଡ଼ା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ରାସ୍ତା ଓ ବିଭିନ୍ନ ସରକାରୀ ସେବା ସମ୍ପର୍କିତ ଅଭିଯୋଗ ମଧ୍ୟ ଆସିଥିଲା । ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆଇନ ଓ ନିୟମ ଅନୁଯାୟୀ ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣି ଶିବିରରେ ମୋଟ ୧୭୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲେ ସେଥିମଧ୍ୟରୁ ୧୩୮ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବା ବେଳେ ୫ଟି ଗୋଷ୍ଠୀଗତ ସମସ୍ୟା ଥିଲା ।
ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୩୧ଟି ଆବେଦନ ଏବଂ ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ୨ଟି ଆବେଦନ ଆସିଥିଲା । ଏହି ସମସ୍ତ ଅଭିଯୋଗର ଶୁଣାଣି କରାଯିବା ସହ ଯେଉଁ ମାମଲାର ତୁରନ୍ତ ସମାଧାନ ସମ୍ଭବ, ସେଗୁଡ଼ିକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଜଟିଳ ମାମଲାଗୁଡ଼ିକର ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ । ଆଉ ଯାଜପୁରର ଏହି ଯୁଗ୍ମ ଜନଶୁଣାଣି ଶିବିର କେତେଦୂର ଲୋକଙ୍କ ଆଶା ପୂରଣ କରୁଛି, ତାହା ଆଗାମୀ ଦିନରେ ଅଭିଯୋଗଗୁଡ଼ିକର ସମାଧାନ ଉପରେ ନିର୍ଭର କରିବ ।
- Trending




