ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ମାଷ୍ଟରପ୍ଲାନ !

ଆଗାମୀ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ନିଜର ସଂଗଠନାତ୍ମକ ଏବଂ ବିକାଶମୂଳକ ପହଞ୍ଚକୁ ଆହୁରି ସୁଦୃଢ଼ କରିବା ଦିଗରେ ସକ୍ରିୟ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କ ମତରେ, ସମାଜର ପ୍ରତ୍ୟେକ ବର୍ଗ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଏବଂ ତୃଣମୂଳ ସ୍ତରରେ ଜନସମ୍ପର୍କକୁ ମଜବୁତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପରିପ୍ରେକ୍ଷୀରେ ସମ୍ପ୍ରତି ଗଠିତ ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଞ୍ଜନ ସିଂହଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ପରିଷଦର ପଦାଧିକାରୀମାନଙ୍କୁ ତୃଣମୂଳ ସ୍ତରରେ ସକ୍ରିୟ ଭାବେ କାମ କରିବା ସହ ସମାଜର ଅନ୍ତିମ ସ୍ତରରେ ବସବାସ କରୁଥିବା ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରକୃତ ହିତାଧିକାରୀମାନେ ଯେପରି ସରକାରୀ ଯୋଜନାର ସମ୍ପୂର୍ଣ୍ଣ ସୁବିଧା ପାଇପାରିବେ, ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ସେ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରୀ ଯୋଜନା କେବଳ କାଗଜପତ୍ରରେ ସୀମିତ ନରହି ବାସ୍ତବରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦରକାର। ଏଥିପାଇଁ ପରିଷଦର ପ୍ରତିନିଧିମାନେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ସରକାରୀ ସୁବିଧା ମିଳିବାରେ ଥିବା ବାଧାକୁ ଚିହ୍ନଟ କରି ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ସେ ଆହ୍ୱାନ କରିଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଆଦିବାସୀଙ୍କ ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ଏବଂ ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରୟାସ ସମ୍ପର୍କରେ ମଧ୍ୟ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ପରିଷଦର ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜନୈତିକ ବିଶ୍ଲେଷକଙ୍କ ମତରେ, ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ପୂର୍ବରୁ ଏଭଳି ବୈଠକ ଓ ବିକାଶ ପରିଷଦଗୁଡ଼ିକର ସକ୍ରିୟତା ମାଧ୍ୟମରେ ସରକାର ତୃଣମୂଳ ସ୍ତରରେ ନିଜର ପହଞ୍ଚକୁ ବିସ୍ତାର କରିବା ସହ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ଓ ସମର୍ଥନ ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି। ତେବେ ବିରୋଧୀ ଦଳମାନେ ଏହାକୁ ନିର୍ବାଚନ ପୂର୍ବରୁ ରାଜନୈତିକ ପ୍ରଭାବ ବୃଦ୍ଧି ପାଇଁ ସରକାରଙ୍କ ରଣନୀତି ବୋଲି ସମାଲୋଚନା କରୁଛନ୍ତି।