Blog
NHରୁ ହଟିବେ ଗୋରୁଗାଈ ! ପ୍ରତି ୧୦୦ କିମିରେ ହେବ ଗୋଶାଳା…
ଜାତୀୟ ରାଜପଥରେ ବୁଲା ଗୋରୁଗାଈଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ଜାତୀୟ ରାଜପଥରେ ବୁଲୁଥିବା ଗୋରୁଗାଈଙ୍କୁ ରାସ୍ତାରୁ ହଟାଇ ସୁରକ୍ଷିତ ଭାବେ ଗୋଶାଳାରେ ରଖାଯିବ। ଏଥିପାଇଁ ଜାତୀୟ ରାଜପଥର ପ୍ରତି ୧୦୦ କିଲୋମିଟର ମଧ୍ୟରେ ଗୋଶାଳା ନିର୍ମାଣ କରିବାର ଯୋଜନା ରହିଛି।
ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଜାତୀୟ ରାଜପଥରେ ଗୋରୁଗାଈଙ୍କ ଅବାଧ ଚଳାଚଳ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବିଶେଷକରି ରାତି ସମୟରେ ରାଜପଥ ଉପରେ ବସିଥିବା କିମ୍ବା ବୁଲୁଥିବା ଗୋରୁଗାଈ ଯାନବାହନ ଚାଳକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଦୁର୍ଘଟଣା ହ୍ରାସ କରିବା ସହ ପଶୁମାନଙ୍କ ଜୀବନ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ପରିବହନ ବିଭାଗ, NHAI ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମିଳିତ ଭାବେ କାମ କରିବେ। ଜାତୀୟ ରାଜପଥରେ ବୁଲୁଥିବା ଗୋରୁଗାଈଙ୍କୁ ଚିହ୍ନଟ କରାଯାଇ ରାସ୍ତାରୁ ହଟାଇ ନିର୍ଦ୍ଦିଷ୍ଟ ଗୋଶାଳାକୁ ସ୍ଥାନାନ୍ତର କରାଯିବ।
ଏଥିରେ ରାସ୍ତାରୁ ପଶୁମାନଙ୍କୁ ହଟାଇବା ଓ ସ୍ଥାନାନ୍ତର କରିବା ଦାୟିତ୍ୱ ପରିବହନ ବିଭାଗର ରହିବ। ଅନ୍ୟପଟେ, ଗୋଶାଳାରେ ରଖାଯାଇଥିବା ଗୋରୁଗାଈଙ୍କ ଖାଦ୍ୟ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା ସହ ଗୋଶାଳାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରାଣୀ ସମ୍ପଦ ବିଭାଗ ନେବ।
ପ୍ରତି ୧୦୦ କିଲୋମିଟରରେ ଗୋଶାଳା
ଜାତୀୟ ରାଜପଥରେ ଗୋରୁଗାଈଙ୍କ ଯୋଗୁ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତି ୧୦୦ କିଲୋମିଟର ମଧ୍ୟରେ ଗୋଶାଳା ନିର୍ମାଣ କରିବାର ଯୋଜନା ରହିଛି। ଏହାଦ୍ୱାରା ରାଜପଥରୁ ଉଦ୍ଧାର ହେଉଥିବା ପଶୁମାନଙ୍କୁ ଶୀଘ୍ର ନିକଟସ୍ଥ ଗୋଶାଳାକୁ ନିଆଯାଇପାରିବ।
ଏଥିସହ ପ୍ରତ୍ୟେକ ବ୍ଲକରେ ମଧ୍ୟ ଗୋଶାଳା ଖୋଲିବା ନେଇ ଯୋଜନା ହୋଇଥିବା ମନ୍ତ୍ରୀ କହିଛନ୍ତି। ଫଳରେ କେବଳ ଜାତୀୟ ରାଜପଥ ନୁହେଁ, ବ୍ଲକ ଓ ସ୍ଥାନୀୟ ଅଞ୍ଚଳରେ ବୁଲା ଗୋରୁଗାଈଙ୍କ ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ।
ଗୋଶାଳା ଉପରେ ରହିବ ନଜର
ଗୋଶାଳା ନିର୍ମାଣ ଓ ପରିଚାଳନା ସହ ଗୋରୁଗାଈଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯିବ। ଏହି ସମଗ୍ର ବ୍ୟବସ୍ଥା ଉପରେ ସ୍ଥାନୀୟ SP ନଜର ରଖିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ଜାତୀୟ ରାଜପଥରେ ବୁଲା ଗୋରୁଗାଈଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇବା ସହ ଯାନବାହନ ଚଳାଚଳ ମଧ୍ୟ ଅଧିକ ସୁରକ୍ଷିତ ହେବ। ସେହିପରି ରାସ୍ତାରେ ଅସୁରକ୍ଷିତ ଭାବେ ବୁଲୁଥିବା ପଶୁମାନଙ୍କୁ ମଧ୍ୟ ଏକ ସୁରକ୍ଷିତ ଆଶ୍ରୟ ମିଳିପାରିବ।
- Trending




