ପୋଲିସ ବିଭାଗରେ ୨୬ ହଜାର ପଦବୀ ଖାଲି, ବଡ଼ ସୂଚନା ଦେଲେ DGP…

ରାଜ୍ୟ ପୋଲିସ ବିଭାଗରେ ମାନବ ସମ୍ବଳର ଅଭାବ ରହିଛି। ଜନସଂଖ୍ୟା ଅନୁପାତରେ ଆବଶ୍ୟକ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାବେଳେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨୬ ହଜାର ପୋଲିସ ପଦବୀ ଖାଲି ପଡ଼ିଛି। ଏନେଇ ଡିଜିପି ପ୍ରତିକ୍ରିୟା ରଖିଛନ୍ତି।

ଡିଜିପିଙ୍କ କହିବା ଅନୁସାରେ, ଜନସଂଖ୍ୟାକୁ ଦୃଷ୍ଟିରେ ରଖିଲେ ରାଜ୍ୟ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି। ଅନ୍ୟ ରାଜ୍ୟ ଗୁଡ଼ିକ ସହ ତୁଳନା କଲେ ମଧ୍ୟ ଓଡ଼ିଶାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବା ସେ କହିଛନ୍ତି।

ତେବେ ପୋଲିସ ବିଭାଗରେ ମାନବ ସମ୍ବଳ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଥିବା ଡିଜିପି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରାୟ ୨୬ ହଜାର ପୋଲିସ ପଦବୀ ଖାଲି ରହିଥିବା ବେଳେ ସମସ୍ତ ଖାଲି ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅନ୍ୟପଟେ ଇନ୍ସପେକ୍ଟର ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାକୁ ନେଇ ମଧ୍ୟ ଡିଜିପି ପ୍ରତିକ୍ରିୟା ରଖିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ରିପୋର୍ଟ ଆସିବା ପରେ ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗରେ ମଧ୍ୟ ଡିଜିପି ନିଜ ପ୍ରତିକ୍ରିୟା ରଖିଛନ୍ତି। ଇସ୍ତଫା ଦେବା ଜଗମୋହନ ମୀନାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଇସ୍ତଫାକୁ ଗ୍ରହଣ କରିବା ପାଇଁ ସେ ଅନେକଥର ଅନୁରୋଧ କରିଥିବା ଡିଜିପି କହିଛନ୍ତି।

ତେବେ ରାଜ୍ୟରେ ଏକାସାଙ୍ଗରେ ୨୬ ହଜାର ପୋଲିସ ପଦବୀ ଖାଲି ରହିବା ଏବେ ପୋଲିସ ବିଭାଗର ମାନବ ସମ୍ବଳ ସ୍ଥିତିକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ନୂଆ ପଦବୀ ସୃଷ୍ଟି ସହ ଖାଲି ପଦବୀ ଗୁଡ଼ିକ କେବେ ଏବଂ କେତେ ଶୀଘ୍ର ପୂରଣ ହେଉଛି, ତାହା ଉପରେ ଏବେ ନଜର ରହିଛି।