ପୋଲିସ କର୍ମଚାରୀଙ୍କୁ ବଡ଼ ଚେତାବନୀ ! EV ଚାର୍ଜିଂ ଓ ବେଆଇନ ବିଦ୍ୟୁତ୍ ସଂଯୋଗ ଉପରେ କଡ଼ା କଟକଣା

ଓଡ଼ିଶା ପୋଲିସ ପକ୍ଷରୁ ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଥାନା ପରିସରରେ ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ଗାଡ଼ି (EV) ଚାର୍ଜିଂ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ପୋଲିସ କ୍ୱାର୍ଟର୍ସକୁ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେବା କିମ୍ବା ସରକାରୀ ବିଦ୍ୟୁତ୍‌ର ଅପବ୍ୟବହାର ଉପରେ ମଧ୍ୟ କଡ଼ା କଟକଣା ଲଗାଯାଇଛି।

ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ସରକାରୀ ବିଦ୍ୟୁତ୍ ସଂଯୋଗକୁ ବ୍ୟକ୍ତିଗତ ସୁବିଧା ପାଇଁ ବ୍ୟବହାର କରିବା କିମ୍ବା ବେଆଇନ ଭାବେ ବିଦ୍ୟୁତ୍ ନେବାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ। ଏପରି କାର୍ଯ୍ୟ ସରକାରୀ ସମ୍ପତ୍ତିର ଅପବ୍ୟବହାର ଭାବେ ଗଣାଯିବ।

ଏହି ନିୟମ ଉଲ୍ଲଂଘନ କରୁଥିବା ପୋଲିସ କର୍ମଚାରୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।

ଓଡ଼ିଶା ପୋଲିସର ଏହି କଡ଼ା ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ବିଦ୍ୟୁତ୍ ସମ୍ପଦର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା, ବିଦ୍ୟୁତ୍ ଚୋରିକୁ ରୋକିବା ଏବଂ ସମସ୍ତ ପୋଲିସ ଇଉନିଟ୍‌ରେ ଶୃଙ୍ଖଳା ଓ ସ୍ୱଚ୍ଛ ପ୍ରଶାସନକୁ ସୁଦୃଢ଼ କରିବା।