ରଥଯାତ୍ରା ପୂର୍ବରୁ ବଡ଼ ଟ୍ରାଫିକ୍ ପ୍ଲାନ୍ ! ୧୬ ଜୁଲାଇରୁ ପୁରୀରେ ନୋ-ଭେହିକଲ୍ ଜୋନ୍

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ବ୍ୟାପକ ଟ୍ରାଫିକ୍ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ପ୍ରଯୁକ୍ତି ସହ ଟ୍ରାଫିକ୍ ବ୍ୟବସ୍ଥାର ସମନ୍ୱୟ କରାଯାଇଛି। AI ଆଧାରିତ ଯାନ ଗଣନା, ୨୪୪ଟି CCTV କ୍ୟାମେରା, ୩ଟି ଡ୍ରୋନ୍, ୧,୬୪୫ଟି ସାଇନେଜ୍, ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ଓ ବଲ୍କ SMS ସେବା ମାଧ୍ୟମରେ ଭକ୍ତଙ୍କୁ ସୁବିଧା ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି।

୩୦ଟି ପାର୍କିଂ ସ୍ଥାନର ବ୍ୟବସ୍ଥା

ରଥଯାତ୍ରା ସମୟରେ ଯାନବାହନ ଚାପକୁ ନିୟନ୍ତ୍ରଣ କରିବା ପାଇଁ ପୁରୀରେ ମୋଟ ୩୦ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି।

୪ ଚକିଆ ଯାନ ପାଇଁ: ୨୨ଟି ପାର୍କିଂ (୧୮ଟି ସାଧାରଣ ଓ ୪ଟି ପାସ୍‌ଧାରୀଙ୍କ ପାଇଁ)
କ୍ଷମତା: ୭,୭୩୦ଟି ଗାଡ଼ି
୨ ଚକିଆ ଯାନ ପାଇଁ: ୪ଟି ପାର୍କିଂ
କ୍ଷମତା: ୧୫,୦୦୦ଟି ଯାନ
ବସ୍ ପାଇଁ: ୪ଟି ପାର୍କିଂ
କ୍ଷମତା: ୭୫୦ଟି ବସ୍

ଗତବର୍ଷ ତୁଳନାରେ ଏଥର ୬ଟି ନୂଆ ପାର୍କିଂ ସ୍ଥାନ ଯୋଡ଼ାଯାଇଥିବା ବେଳେ ପାର୍କିଂ କ୍ଷମତା ପ୍ରାୟ ୨,୧୦୦ଟି ଯାନ ବୃଦ୍ଧି କରାଯାଇଛି।

ପାସ୍ ଓ ସାଧାରଣ ଯାନ ପାଇଁ ଅଲଗା ପାର୍କିଂ

VIP, ପାସ୍‌ଧାରୀ ଓ ସାଧାରଣ ଯାତ୍ରୀଙ୍କ ସୁବିଧା ପାଇଁ ଅଲଗା ପାର୍କିଂ ବ୍ୟବସ୍ଥା କରାଯାଇଛି।

ପାସ୍‌ଧାରୀଙ୍କ ପାଇଁ: ୪ଟି ସ୍ୱତନ୍ତ୍ର ପାର୍କିଂ
ସାଧାରଣ ଯାନ ପାଇଁ: ୧୮ଟି ପାର୍କିଂ

ସମଙ୍ଗ, ସେଣ୍ଟ୍ରାଲ୍ ସ୍କୁଲ, ଶ୍ରୀସେତୁ, ଭୂଦାନ, ITI କଲେଜ, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିୟମ୍, ତାଳବଣିଆ, ଷ୍ଟର୍ଲିଂ ଛକ ଓ ସରଧାବାଲି ଅଞ୍ଚଳରେ ଏହି ପାର୍କିଂ ଗୁଡ଼ିକ କରାଯାଇଛି।

AI ସହାୟତାରେ ଟ୍ରାଫିକ୍ ପରିଚାଳନା

ଏବର୍ଷ ପ୍ରଥମ ଥର ପାଇଁ AI ଆଧାରିତ ଯାନ ଗଣନା ପ୍ରଣାଳୀକୁ ଅଧିକ ସକ୍ରିୟ ଭାବେ ବ୍ୟବହାର କରାଯାଉଛି। ଏହା ସହିତ ମାନୁଆଲ୍ ଗଣନା ବ୍ୟବସ୍ଥା ମଧ୍ୟ ଜାରି ରହିବ। ଏହା ମାଧ୍ୟମରେ ଯାନ ଚାପ, ପାର୍କିଂର ସ୍ଥିତି ଓ ରାସ୍ତାର ଅବସ୍ଥାକୁ ରିଅଲ୍ ଟାଇମ୍‌ରେ ଆକଳନ କରାଯିବ।

୧,୬୪୫ଟି ସାଇନେଜ୍ ଓ LED ଡିସପ୍ଲେ

ଯାତ୍ରୀଙ୍କୁ ଠିକ୍ ରାସ୍ତା ଓ ପାର୍କିଂ ସମ୍ପର୍କରେ ସୂଚନା ଦେବା ପାଇଁ—

୫୯୫ଟି ସ୍ଥାୟୀ ସାଇନେଜ୍
୧,୦୫୦ଟି ଅସ୍ଥାୟୀ ସାଇନେଜ୍

ଅର୍ଥାତ୍ ମୋଟ ୧,୬୪୫ଟି ସାଇନେଜ୍ ଲଗାଯାଇଛି।

ଏହାସହ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ LED ଡିସପ୍ଲେ ବୋର୍ଡ ଲଗାଯାଇ ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରାଯିବ।

ମୋବାଇଲ୍ LED ଓ ବଲ୍କ SMS ସେବା

ଉତ୍ତରା-ଲିଙ୍ଗିପୁର ଓ ଭୁବନେଶ୍ୱରରେ ୨ଟି ମୋବାଇଲ୍ LED ୟୁନିଟ୍ ମୁତୟନ କରାଯାଇଛି। ଟ୍ରାଫିକ୍ ଜାମ୍, ରାସ୍ତା ବନ୍ଦ କିମ୍ବା ବିକଳ୍ପ ମାର୍ଗ ସମ୍ପର୍କରେ ଲୋକଙ୍କୁ Bulk SMS ମାଧ୍ୟମରେ ସୂଚନା ପ୍ରଦାନ କରାଯିବ।

୭୩ଟି ଟ୍ରାଫିକ୍ ସହାୟତା କେନ୍ଦ୍ର

ଯାତ୍ରୀଙ୍କ ସହାୟତା ପାଇଁ ପୁରୀ ଜିଲ୍ଲାରେ ୭୩ଟି ଟ୍ରାଫିକ୍ ଏଡ୍ ପୋଷ୍ଟ ଖୋଲାଯାଇଛି। ଏଥିମଧ୍ୟରୁ ତାଳବଣିଆ ଓ ମାଳତୀପାଟପୁରରେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ୨ଟି ମଡେଲ୍ ଟ୍ରାଫିକ୍ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ପିଇବା ପାଣି, ବିଶ୍ରାମ ସ୍ଥାନ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ରହିବ।

୨୪୪ଟି CCTV ଓ ୩ଟି ଡ୍ରୋନ୍‌ରେ କଡ଼ା ନଜର

ରଥଯାତ୍ରା ସମୟରେ ଟ୍ରାଫିକ୍ ଓ ସୁରକ୍ଷା ଉପରେ ସତର୍କ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୨୪୪ଟି CCTV କ୍ୟାମେରା ଓ ୩ଟି ଡ୍ରୋନ୍ ମୁତୟନ କରାଯାଇଛି। ଏହା ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଓ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନିଆଯିବ।

୧୬ ଜୁଲାଇରୁ ନୋ-ଭେହିକଲ୍ ଜୋନ୍

୧୬ ଜୁଲାଇ ରାତି ୧୨ଟାରୁ ୧୭ ଜୁଲାଇ ରାତି ୧୨ଟା ପର୍ଯ୍ୟନ୍ତ ପୁରୀର ଗ୍ରାଣ୍ଡ ରୋଡ୍ ସମେତ ବିଭିନ୍ନ ପ୍ରମୁଖ ରାସ୍ତାକୁ ନୋ-ଭେହିକଲ୍ ଜୋନ୍ ଘୋଷଣା କରାଯାଇଛି।

ଏହି ସମୟ ମଧ୍ୟରେ ଝାଡେଶ୍ୱରୀ ଛକରୁ ହସ୍ପିଟାଲ୍ ଛକ, ବ୍ରୁଷଭ ଛକରୁ ଶ୍ରୀମନ୍ଦିର, ମୋଚିସାହି ଛକ, ସୋଲଖିଆ ବରଗଛ ଛକ ସମେତ ସଂଲଗ୍ନ ଅଞ୍ଚଳରେ ଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।

ଓଡ଼ିଶା ପୋଲିସ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା, ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଯାନ ରଖିବା, ରିଅଲ୍ ଟାଇମ୍ ଟ୍ରାଫିକ୍ ସୂଚନା ଅନୁସରଣ କରିବା ଏବଂ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ବ୍ୟାପକ ବ୍ୟବସ୍ଥା ମାଧ୍ୟମରେ ରଥଯାତ୍ରା-୨୦୨୬କୁ ଅଧିକ ସୁରକ୍ଷିତ, ଶୃଙ୍ଖଳିତ ଓ ଭକ୍ତବତ୍ସଳ କରିବା ଲକ୍ଷ୍ୟ ରଖାଯାଇଛି।