Blog
କାଳିଆ ମୁଣ୍ଡରେ ଟାହିଆ ନାହିଁ !
ମଉଳି ଯାଇଛି ଜଗାର ମୁହଁ ବିନା ଟାହିଆରେ | ବଡ଼ଦାଣ୍ଡକୁ ଆସିଛନ୍ତି ମହାପ୍ରଭୁ ଆଉ ଏହି ଦୃଶ୍ୟ ଦେଖି ଭକ୍ତଙ୍କ ମନରେ ଖେଳିଯାଇଛି ଅସନ୍ତୋଷର ଛାୟା. | ରଥଯାତ୍ରାରେ ପହଣ୍ଡି ବିଜେ ସମୟରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ଶୋଭା ପାଇବା ଏକ ପ୍ରାଚୀନ ପରମ୍ପରା | ରଙ୍ଗବେରଙ୍ଗର ଫୁଲ, ଶୋଳା ଓ ପାରମ୍ପରିକ କାରୁକାର୍ଯ୍ୟରେ ପ୍ରସ୍ତୁତ ଏହି ଟାହିଆ କେବଳ ଏକ ସଜସଜ୍ଜା ନୁହେଁ, ବରଂ ମହାପ୍ରଭୁଙ୍କ ରାଜକୀୟ ଐଶ୍ୱର୍ଯ୍ୟର ପ୍ରତୀକ | କିନ୍ତୁ ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ବେଳେ ଏହି ଟାହିଆ ଦେଖିବାକୁ ନମିଳିବାରୁ ଭକ୍ତମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି |
ବଡ଼ଦାଣ୍ଡକୁ ଝୁଲି ଝୁଲି ଆସିଥିଲେ ତିନି ଠାକୁର | ପ୍ରଥମେ ବଡ଼ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ | ବଳଭଦ୍ର ଓ ସୁଭଦ୍ରାଙ୍କ ମସ୍ତକରେ ଟାହିଆ ଶୋଭା ପାଉଥିବା ବେଳେ, ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତାହା ନଥିଲା | ଏହି ଭିନ୍ନ ଦୃଶ୍ୟ ଦେଖି ଅନେକ ସେବାୟତ, ଭକ୍ତ ଏବଂ ସାଧାରଣ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି || ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରକାରର ମତାମତ ଆସୁଛି | କେହି ଏହାକୁ ପରମ୍ପରାର ବ୍ୟତିକ୍ରମ ବୋଲି କହୁଥିବା ବେଳେ, ଆଉ କେହି ଏହା ପଛରେ କୌଣସି ବିଶେଷ କାରଣ ଥାଇପାରେ ବୋଲି ମତ ଦେଉଛନ୍ତି |
ଶ୍ରୀମନ୍ଦିରର ପ୍ରତ୍ୟେକ ନୀତି ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥାଏ | ତେଣୁ ମହାପ୍ରଭୁଙ୍କ ଟାହିଆକୁ ନେଇ ଉଠିଥିବା ଏହି ବିବାଦ ସାଧାରଣ ଘଟଣା ନୁହେଁ | ଏହା କୌଣସି ନୀତିଗତ ନିଷ୍ପତ୍ତି ଥିଲା କି, ନା କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଟାହିଆ ବ୍ୟବହାର କରାଯାଇନଥିଲା—ତାହାକୁ ନେଇ ସ୍ପଷ୍ଟତା ଆସିନାହିଁ | ଏପରି ସ୍ଥିତିରେ ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନଙ୍କଠାରୁ ସ୍ପଷ୍ଟୀକରଣ ଦାବି କରୁଛନ୍ତି| କାରଣ ମହାପ୍ରଭୁଙ୍କ ପ୍ରତ୍ୟେକ ପରମ୍ପରା ସହ ଜଡ଼ି ରହିଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଭାବନା|
ତେଣୁ ଏହି ଯାତ୍ରାରେ ନୀତି, ପରମ୍ପରା ଓ ସେବାପୂଜାରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଭକ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥାଏ | ଏବେ ସମସ୍ତଙ୍କ ନଜର ଶ୍ରୀମନ୍ଦିର ପ୍ରଶାସନ ଉପରେ| ଟାହିଆ ନ ଲାଗିବା ପଛର ପ୍ରକୃତ କାରଣ କ’ଣ? ପ୍ରଶାସନ ଏନେଇ ସ୍ପଷ୍ଟୀକରଣ ଦେବ କି? ନା ଏହି ବିବାଦ ଆଗକୁ ଆହୁରି ବଢ଼ିବ? ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି |
- Trending




