Blog
ଗଞ୍ଜାମରେ ୫୦ କୋଟିର ମହାଦୁର୍ନୀତି ! ସରକାରୀ ତହବିଲ୍ରୁ ମହାଲୁଟ୍ !
ଗଞ୍ଜାମରେ ଚାଲିଛି ମିଲର ରାଜ୍! ସରକାରଙ୍କ ଆଖିରେ ଧୂଳି ଦେଇ ହୋଇଛି ୫୦ କୋଟି ଟଙ୍କାର ମହାଦୁର୍ନୀତି। ଗଞ୍ଜାମର କିଏ କିଏ ସେହି ରକ୍ତଶୋଷା ମିଲ୍ ମାଲିକ? ଯିଏ ଗରିବ ଚାଷୀର ହକ୍ ଛଡ଼ାଇ ସାଜିଛି ମଣ୍ଡାଖିଆ ଅସୁର। ସରକାରୀ ଟଙ୍କାରେ ମାଲେମାଲ୍ ଏହି ମୁନାଫାଖୋର ମିଲର ବାବୁ । ଆଉ ସରକାରୀ ଅର୍ଥକୁ ବାଟବଣା କରିବାରେ ପୂରା ସାଥ୍ ଦେଉଛନ୍ତି ଖୋଦ୍ ସରକାରୀ ବାବୁ। ଏଠି ରକ୍ଷକ ସାଜିଛି ଭକ୍ଷକ ଆଉ ବାଡ଼ ହିଁ ଖାଉଛି କ୍ଷେତ। ସତେ ଯେମିତି ସମସ୍ତଙ୍କ ତୁଣ୍ଡରେ ବନ୍ଧା ହୋଇଛି ତୁଣ୍ଡି।
ଯୋଜନାବଦ୍ଧ ଭାବେ ଚାଲିଛି ଦିନ ଦ୍ୱିପହରରେ ଡକାୟତି। ସରକାର ଓ ମିଲରଙ୍କ ଭିତରେ ଥିବା ଚୁକ୍ତି ଆଉ ନିୟମ ସବୁ ଏବେ ଘାସ ଖାଉଛି। ଦେଇଥିଲେ ମାତ୍ର ୪ କୋଟିର ସିକ୍ୟୁରିଟି ଡିପୋଜିଟ୍… କିନ୍ତୁ ନିୟମକୁ ଖୋଲା ଚ୍ୟାଲେଞ୍ଜ କରି, ଲୁଟି ନେଲେ ୬ ଗୁଣ ଅଧିକ… ପୂରା ୨୪ କୋଟିର ଧାନ।ଏତିକିରେ ପୂରିଲାନି ପେଟ। ଧାନ ଯେଉଁଠୁ କିଣିଲେ, ସେଇଠି ହିଁ ବିକି ଦେଲେ.. ଆଉ ହଡ଼ପ କରିନେଲେ ଲକ୍ଷ ଲକ୍ଷ ଟଙ୍କାର ଟ୍ରାନ୍ସପୋର୍ଟେସନ୍ ଚାର୍ଜ୍।
ଗରିବଙ୍କ ପିଡିଏସ୍ ଚାଉଳ, ନିମ୍ନମାନର ଚାଉଳ ଆଉ ରିସାଇକ୍ଲିଂ ଚାଉଳକୁ ଶାଗ ମାଛ ଦରରେ କିଣି, ଇଲିସି ମାଛ ଦରରେ ସରକାରଙ୍କୁ ହିଁ ବିକିଦେଇ କୋଟି କୋଟି ଟଙ୍କା ଖାଇଯିବାକୁ ଯୋଜନା କରିଛନ୍ତି ଏହି ମଣ୍ଡାଖିଆ ଅସୁର। କିନ୍ତୁ ଯେବେ ଧାନ ଦେଖିବାକୁ ଆସିଲେ ସରକାରୀ ବାବୁ… ଖାଲି ଗୋଦାମ ଘର ଦେଖି ସେ ବି ତାଜୁବ୍। ନିର୍ଦ୍ଦେଶ ଅଛି ମଣ୍ଡିରୁ ଉଠାଅ ଧାନ, କିନ୍ତୁ ଏବେ ଏ ଅବେଳାରେ କେଉଁଠୁ ଆସୁଛି ଧାନ? ଧରାପଡ଼ିବା ଭୟରେ ଫିଜିକାଲ୍ ଭେରିଫିକେସନ୍କୁ ଆସୁଥିବା ବାବୁମାନଙ୍କୁ ଦିଆଯାଉଛି ମୋଟା ଅଙ୍କର ହାତଗୁଞ୍ଜା।
ଚୁପଚାପ୍ ରାତିର ଅନ୍ଧାରରେ ମିଲ୍ରେ ଭର୍ତ୍ତି ଚାଲିଛି ଧାନ। ନା ଦେଖିବାକୁ କିଏ ଅଛି, ନା କହିବାକୁ କିଏ ଅଛି।କାହା ଛତ୍ରଛାୟା ତଳେ ଚାଲିଛି ଏହି ଅନ୍ଧାର ଘରର କଳା କାରନାମା? କିନ୍ତୁ ଆଉ ଚାଲିବନି ଏହି ଲୁଚକାଳି ଖେଳ। ଆମ ହାତରେ ଲାଗିଛି ଏବେ ଏକ୍ସକ୍ଲୁସିଭ୍ ତଥ୍ୟ, ଖୁବଶୀଘ୍ର ହେବ ପୂରା ପର୍ଦ୍ଦାଫାସ।
- Trending




