ଚମକିଛନ୍ତି ଗଞ୍ଜାମ ଜିଲ୍ଲାର କୃତୀ ଖେଳାଳି । ସ୍ୱର୍ଣ୍ଣ ସହ ୩ ପଦକ ହାସଲ ।

ଜାତୀୟ ସ୍ତରରେ ନିଜ ପ୍ରତିଭାର ପ୍ରମାଣ ଦେଇ ପୁଣି ଥରେ ସାରା ଦେଶରେ ଚମକିଛନ୍ତି ଗଞ୍ଜାମ ଜିଲ୍ଲାର କୃତୀ ଖେଳାଳି। ମହାରାଷ୍ଟ୍ରର ନାଶିକରେ ଆୟୋଜିତ ୧୪ତମ ଜାତୀୟ ପେନକାକ ସିଲଟ ଚାମ୍ପିୟନସିପରେ ଗଞ୍ଜାମ ପେନକାକ ସିଲଟ ସଂଘର ଖେଳାଳିମାନେ ହାସଲ କରିଛନ୍ତି ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ । ଏହି ସଫଳତା ପରେ ବ୍ରହ୍ମପୁର ଓ ସମଗ୍ର ଗଞ୍ଜାମ ଜିଲ୍ଲାରେ ଖେଳିଯାଇଛି ଖୁସିର ଲହରୀ ।

ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟର ନାଶିକରେ ଚଳିତ ବର୍ଷର ୧୪ତମ ନ୍ୟାସନାଲ୍ ସିନିୟର, କାଡେଟ୍, ପ୍ରି-ଟିନ୍, ପ୍ରି-ଜୁନିୟର ଓ ଜୁନିୟର ପେନକାକ ସିଲଟ ଚାମ୍ପିୟନସିପ୍ ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଶହ ଶହ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି କଠିନ ପ୍ରତିଯୋଗିତା ମଧ୍ୟରେ ଗଞ୍ଜାମ ପେନକାକ ସିଲଟ ସଂଘର ଖେଳାଳିମାନେ ନିଜ ଦକ୍ଷତା, ପରିଶ୍ରମ ଓ ଆତ୍ମବିଶ୍ୱାସର ପରିଚୟ ଦେଇ ଚମତ୍କାର ପ୍ରଦର୍ଶନ କରିଥିଲେ। ସମୁଦାୟ ତିନୋଟି ପଦକ ହାସଲ କରି ସେମାନେ କେବଳ ଗଞ୍ଜାମ ନୁହେଁ, ସମଗ୍ର ଓଡ଼ିଶାର ସମ୍ମାନକୁ ମଧ୍ୟ ବଢ଼ାଇଛନ୍ତି ।

ପ୍ରି-ଟିନ୍ ବାଳିକା ସୋଲୋ ବିଭାଗରେ ସ୍ନେହାଞ୍ଜଳି ସାହୁ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି। ସେହିପରି ଜୁନିୟର ବାଳିକା ଟାଣ୍ଡିଙ୍ଗ ବିଭାଗରେ ଅର୍ପିତା ଗୌଡ଼ ରୌପ୍ୟ ପଦକ ହାସଲ କରିଥିବାବେଳେ ପ୍ରି-ଜୁନିୟର ବାଳକ ଗାଣ୍ଡା ଡବଲ୍ ବିଭାଗରେ ମାରୁତି ପ୍ରସାଦ ସମନ୍ତରାୟ ଓ ସାଇ କ୍ରିଷ୍ଣା ପାଣିଗ୍ରାହୀ ଯୁଗଳ ଭାବେ ରୌପ୍ୟ ପଦକ ଜିତିଛନ୍ତି। ଖେଳାଳିଙ୍କ ଏହି ଉଲ୍ଲେଖନୀୟ ସଫଳତା ପରେ ଗଞ୍ଜାମ ପେନକାକ ସିଲଟ ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସେଠାରେ ସମସ୍ତ କୃତୀ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ସେମାନଙ୍କ ସଫଳତାକୁ ସମ୍ମାନିତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ପେନକାକ ସିଲଟ ସଂଘର ସଭାପତି ରବି କୁମାର ସାହୁ, ଉପସଭାପତି ଭୁଗୁରାମ ପଣ୍ଡା, ଟେକ୍ନିକାଲ୍ ଡିରେକ୍ଟର ଡାନି ସ୍ନେହାଂଶୁ ବିଷୋୟୀ, ସାଧାରଣ ସମ୍ପାଦକ ଶ୍ରୀଧର ସାହୁଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା, ପ୍ରଶିକ୍ଷକ, ଖେଳାଳି ଓ ଅଭିଭାବକ ଉପସ୍ଥିତ ରହିଥିଲେ। ସମସ୍ତେ କୃତୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶା ପାଇଁ ଗୌରବ ଆଣିବାକୁ ଶୁଭେଚ୍ଛା ଜଣାଇଥିଲେ।