ପଞ୍ଚାୟତ ଭୋଟକୁ, ଡରୁଛନ୍ତି ମୋହନ ସରକାର ?

ପଞ୍ଚାୟତ ନିର୍ବାଚନ ଚାହୁଁନି କି ଶାସକ ଦଳ ? କାରଣ ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ବର୍ଷେରୁ ଅଧିକ ସମୟ ବାକି ଥିଲେ ମଧ୍ୟ, ନିର୍ବାଚନ ପ୍ରସ୍ତୁତି କାମ ଏବେଠାରୁ ଆରମ୍ଭ ହେବା କଥା । କାରଣ ପଞ୍ଚାୟତ ନିର୍ବାଚନରେ ଲକ୍ଷ ଲକ୍ଷ ବାଲାଟ୍ ପେପର ମୁଦ୍ରଣ କରିବାକୁ ପଡ଼େ । ସେଥିପାଇଁ ଦରକାର ସ୍ୱତନ୍ତ୍ର ୱାଟରମାର୍କ କାଗଜ । ଏହି କାଗଜ ସାଧାରଣ କାଗଜ ନୁହେଁ, ଏହାକୁ ଟେଣ୍ଡର ଜରିଆରେ କ୍ରୟ କରାଯାଏ । ଆଉ ସେଥିପାଇଁ ପ୍ରଥମେ ଦରକାର ପାଣ୍ଠି ବରାଦ ହେଲେ ସେହି ପ୍ରକ୍ରିୟାରେ ଏବେ ଦେଖାଦେଇଛି । ବଡ଼ ବିଳମ୍ବ ଯାହାକୁ ନେଇ ପ୍ରଶାସନିକ ମହଲ ସହ ରାଜନୈତିକ ମହଲରେ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା !

ସରକାରୀ ଦସ୍ତାବିଜ ଅନୁସାରେ ପ୍ରଥମେ ଚଳିତ ବର୍ଷ ଜୁନ୍ ୧୦ ତାରିଖରେ ରାଜ୍ୟ ମୁଦ୍ରଣ, ଲେଖନ ସାମଗ୍ରୀ ଓ ପ୍ରକାଶନ ନିର୍ଦ୍ଦେଶାଳୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲା । ସେହି ଚିଠିରେ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବାଲାଟ୍ ପେପର ଛପାରେ ବ୍ୟବହୃତ ୱାଟରମାର୍କ କାଗଜ କିଣିବାକୁ ପାଣ୍ଠି ମଞ୍ଜୁର କରିବା ପାଇଁ ଅନୁରୋଧ କରାଯାଇଥିଲା..କିନ୍ତୁ ତିନି ସପ୍ତାହ ବିତିଯିବା ପରେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ଫଳରେ ପୁଣି ଜୁଲାଇ ୨ ତାରିଖରେ ଦ୍ୱିତୀୟ ଥର ପାଇଁ ସ୍ମାରକ ପତ୍ର ପଠାଇଥିଲେ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ।

ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି । ପାଣ୍ଠି ଅନୁମୋଦନ ମିଳିଲେ ହିଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ, ନଚେତ୍ ବାଲାଟ୍ ପେପର ପ୍ରସ୍ତୁତି ସମୟ ମଧ୍ୟରେ ସରିବା କଷ୍ଟକର ହୋଇପାରେ । ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ୧୮୧ ମେଟ୍ରିକ ଟନ୍ ୱାଟରମାର୍କ କାଗଜ ଆବଶ୍ୟକ ହେବ। ୱାର୍ଡ ସଦସ୍ୟ, ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟଙ୍କ ବାଲାଟ୍ ପେପର ପାଇଁ ପ୍ରାୟ ୮୭ ମେଟ୍ରିକ ଟନ୍ କାଗଜ ଦରକାର ଥିବାବେଳେ, ଜିଲ୍ଲା ପରିଷଦ ସଦସ୍ୟଙ୍କ ବାଲାଟ୍ ପେପର ପାଇଁ ଆବଶ୍ୟକ ପ୍ରାୟ ୯୪ ମେଟ୍ରିକ ଟନ୍ କାଗଜ ଅର୍ଥାତ୍ ଚାରି ପ୍ରକାରର ବାଲାଟ୍ ପେପର ମୁଦ୍ରଣ ପାଇଁ ବହୁ ପରିମାଣର ୱାଟରମାର୍କ କାଗଜ ଦରକାର ପଡ଼ିବ ।

ହେଲେ ଏବେ ସବୁଠାରୁ ବଡ଼ କଥା ହେଉଛି, ଦୁଇଟି ସରକାରୀ ପତ୍ର ଯିବା ପରେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କାହିଁକି ଅନୁମୋଦନ ଦିଆଯାଇନି ? କିମ୍ବା ବିଳମ୍ବର କାରଣ କଣ ? ତାହା ନେଇ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ, ତେବେ ଏହି ବିଳମ୍ବ ନିର୍ବାଚନ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।