ସ୍ମାର୍ଟ ଶ୍ମଶାନରେ ‘ପିସି’ ଖେଳ ! ୫୦ ଲକ୍ଷ ଗଲା କୁଆଡ଼େ ?

ମୃତ୍ୟୁ ପରେ ଶେଷ ଯାତ୍ରା ଆଉ ସେହି ଶେଷ ଯାତ୍ରାକୁ ସମ୍ମାନଜନକ କରିବା ପାଇଁ ସରକାରଙ୍କ ଯୋଜନା ସ୍ମାର୍ଟ ଶ୍ମଶାନ । କିନ୍ତୁ ଗଞ୍ଜାମର କୋଦଳାରେ ଏହି ସ୍ୱପ୍ନ ଏବେ ବି ଅଧାରେ ଅଟକି ରହିଛି । କୋଟି କୋଟି ନୁହେଁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ବରାଦ ହୋଇଛି । ଟେଣ୍ଡର ବି ହୋଇଛି, ପାଚେରୀ ଉଠିଛି, ଆଉ କାଗଜପତ୍ରରେ କାମ ଆଗକୁ ବଢ଼ିଛି । ହେଲେ ବାସ୍ତବରେ ଆଜି ବି ସ୍ମାର୍ଟ ଶ୍ମଶାନ ଲୋକଙ୍କ କାମରେ ଆସିପାରିନାହିଁ ।

୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବ ସରକାରଙ୍କ ଅନୁମୋଦନ ପରେ କୋଦଳା ଏନଏସିରେ ସ୍ମାର୍ଟ ଶ୍ମଶାନ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଶେଷକୃତ୍ୟ ପାଇଁ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ଆଧୁନିକ ପରିବେଶ ସୃଷ୍ଟି କରିବା । କିନ୍ତୁ ୫୦ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ସତ୍ତ୍ୱେ ପ୍ରକଳ୍ପ ଆଜି ବି ଅଧାରେ ପଡ଼ି ରହିଛି । ଅନେକ ସ୍ଥାନରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ତଦନ୍ତ ହୋଇନାହିଁ । ଆଉ ଏହାରି ଭିତରେ ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି, କୁହାଯାଉଛି, କିଛି କାଉନସିଲରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାରମ୍ବାର ପ୍ରାୟ ଦୁଇ ଲକ୍ଷ ଟଙ୍କାର ସର୍ଟ ଟେଣ୍ଡର କରାଯାଉଛି। ବିଭିନ୍ନ ଆଳ ଦେଖାଇ କାମ ବାଣ୍ଟି ଦିଆଯାଉଥିବା ନେଇ ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି ।

ଏପରିକି ପିସି କାରବାର ନ ଛିଡ଼ିବାରୁ କାମ ଆଗକୁ ବଢ଼ୁନଥିବା କଥା ମଧ୍ୟ ଲୋକମୁଖରେ ଶୁଣିବାକୁ ମିଳୁଛି ଏହି ପ୍ରସଙ୍ଗରେ କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅର୍ଥ ବରାଦ ହେବା ସତ୍ତ୍ୱେ କାମ ଶେଷ ନ ହେବାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗକୁ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ମୁହଁ ଖୋଲିଛନ୍ତି ସେ କହିଛନ୍ତି, ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅବଗତ ନୁହଁନ୍ତି । ସବୁ ଦିଗ ବୁଝିବା ପରେ ଏହା ଉପରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି । ସ୍ମାର୍ଟ ଶ୍ମଶାନ କେବଳ ଏକ ନିର୍ମାଣ ପ୍ରକଳ୍ପ ନୁହେଁ, ଏହା ମୃତ ବ୍ୟକ୍ତିଙ୍କ ପରିବାରକୁ ସମ୍ମାନଜନକ ପରିବେଶରେ ଶେଷକୃତ୍ୟ କରିବାର ସୁବିଧା ଦେବା ପାଇଁ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ତେବେ ବର୍ଷ ବର୍ଷ ଧରି କାମ ଅଧାରେ ପଡ଼ି ରହିବା, ନିମ୍ନମାନର କାମ ଅଭିଯୋଗ, ପିସି କାରବାରର ଚର୍ଚ୍ଚା ଓ ପ୍ରଶାସନର ନୀରବତା ଏହି ପ୍ରକଳ୍ପକୁ ପ୍ରଶ୍ନବାଚୀ କରିଛି ।