Blog
ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି, ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ମହାମହିମ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦର ଠାରେ ପହଂଚିବା ପରେ ମାନନୀୟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତରେ ଶିକ୍ଷା, ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇଛି।
ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି କଟକ ଜିଲ୍ଲାର ମୁଣ୍ଡଳି ନିକଟରେ ଅବସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଉଦଘାଟନୀ ସମାରୋହରେ ଯୋଗଦେବେ। ସେଠାରେ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଶିଷ୍ଟ ଅତିଥିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ସକାଳୁ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ବ୍ରହ୍ମପୁରରେ ପହଞ୍ଚିବା ପରେ ସଡ଼କ ପଥରେ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତପ୍ତପାଣି ପାନ୍ଥ ନିବାସକୁ ଯିବେ। ସେଠାରେ ପ୍ରାକୃତିକ ଉଷ୍ଣ ପ୍ରସ୍ରବଣରେ ସ୍ନାନ କରିବା ପରେ ମା କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବେ।
ସନ୍ଧ୍ୟାରେ ରାଷ୍ଟ୍ରପତି ପୁଣି ବ୍ରହ୍ମପୁର ଫେରିବେ। ଗୋପାଳପୁର ସ୍ଥିତ ଆର୍ମି ଏଡି କଲେଜରେ ରାତ୍ରିଯାପନର କାର୍ଯ୍ୟକ୍ରମ ରହିଛି। ପରଦିନ ସକାଳେ ସେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର–କଟକ ଟ୍ୱିନ୍ ସିଟି ସମେତ ତାଙ୍କ ଗସ୍ତପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ, ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ସଫଳ ଓ ସୁରକ୍ଷିତ ଗସ୍ତ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି।
- Trending




