ହଠାତ୍ ଆଇପିଏସ୍ ଚାକିରି ଛାଡ଼ିଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ।

ରାଜଧାନୀ ପୋଲିସ ମହଲରେ ସୋମବାର ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ରାଜ୍ୟ ସରକାରଙ୍କ ନିକଟରେ ହଠାତ୍ ନିଜର ଇସ୍ତଫା ଦାଖଲ କରିଛନ୍ତି। ସେ ନିଜ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା ବେଳେ, ଏହାକୁ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।​୨୦୧୩ ବ୍ୟାଚ୍‌ର ୩୭ ବର୍ଷୀୟ ଏହି ଆଇପିଏସ୍ ଅଧିକାରୀଙ୍କ ହଠାତ୍ ପଦତ୍ୟାଗ ନିଷ୍ପତ୍ତି ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ସୂତ୍ର ଅନୁଯାୟୀ, ସେ ବେସରକାରୀ କ୍ଷେତ୍ରରେ ନୂଆ ସୁଯୋଗ ଖୋଜୁଛନ୍ତି। ଏପରିକି ରାଜସ୍ଥାନରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଜୋରସୋରରେ ଚର୍ଚ୍ଚା ହେଉଛି। ତେବେ ଏନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

​ଜଗମୋହନ ମୀନା ପୂର୍ବରୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ​ସେ ପ୍ରଥମେ ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।​ଏହା ପରେ କଟକ ଅର୍ବାନ ପୋଲିସ ଜିଲ୍ଲାର ଡିସିପି ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।​ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

​ତାଙ୍କର ଏହି ଇସ୍ତଫା ଏଭଳି ଏକ ସମୟରେ ଆସିଛି, ଯେତେବେଳେ କମିଶନରେଟ୍ ପୋଲିସ ସମ୍ପ୍ରତି ବାଲିଅନ୍ତାରେ ରେଲୱେ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛି। ଉକ୍ତ ଘଟଣାରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ପୃଷ୍ଠଭୂମିରେ ଡିସିପିଙ୍କ ଇସ୍ତଫାକୁ ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ଚାଲିଛି।
​ଅନ୍ୟପଟେ, ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଜଗମୋହନ ମୀନା ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ଜଣାପଡ଼ିଛି। ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।