ମୋଦୀଙ୍କୁ ଗାଳି ଦେଇଥିବା ଛାତ୍ରୀଙ୍କ ୟୁ-ଟର୍ଣ୍ଣ ! ହାତ ଯୋଡ଼ି କହିଲେ– ‘ଦୟାକରି ମୋତେ କ୍ଷମା କରନ୍ତୁ’

କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ଜଣେ ଛାତ୍ରୀଙ୍କ କ୍ଷମା ପ୍ରାର୍ଥନା ଭିଡିଓ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି।

ଭିଡିଓରେ ଛାତ୍ରୀ ଜଣକ ହାତ ଯୋଡ଼ି କହୁଛନ୍ତି, “ପ୍ରତିବାଦ ସମୟରେ କିଛି ଲୋକଙ୍କ ପ୍ରଭାବରେ ଆସି ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନେକ ଖରାପ କଥା କହିଥିଲି।”

ଏଫ୍‌ଆଇଆର୍‌ରେ ଛାତ୍ରୀଙ୍କ ବୟସ ୨୫ ବର୍ଷ ବୋଲି ଉଲ୍ଲେଖ ଥିବାବେଳେ, କ୍ଷମା ପ୍ରାର୍ଥନା ଭିଡିଓରେ ସେ ନିଜକୁ ମାତ୍ର ୧୫ ବର୍ଷର ବୋଲି ଦାବି କରିଛନ୍ତି।

ସେ କହିଛନ୍ତି, “ମୋର ବୟସ ମାତ୍ର ୧୫ ବର୍ଷ। ମୁଁ ଯାହା କରିଛି, ତାହା କ୍ଷମାଯୋଗ୍ୟ ନୁହେଁ। ମୁଁ ଅନେକ ଖରାପ କଥା କହିଛି।”

ଏହାକୁ ନିଜର “ପ୍ରଥମ ଏବଂ ଶେଷ ଭୁଲ” ବୋଲି କହି ସେ ଆହୁରି କହିଛନ୍ତି, “ମୁଁ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗୁଛି। ମୋତେ ବହୁତ ଲଜ୍ଜା ଲାଗୁଛି। ମୁଁ ନିଜ ମୁହଁକୁ ମଧ୍ୟ ଦେଖିପାରୁନି। ଦୟାକରି ମୋତେ କ୍ଷମା କରନ୍ତୁ।”

ବୁଧବାର ଦିନ ଛାତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କରିଥିବା ମନ୍ତବ୍ୟକୁ ନେଇ ନୋଏଡାର ଏକ ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ନୋଏଡା ପୁଲିସ ପ୍ରଥମେ ଜିରୋ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ପରେ ଏହାକୁ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଛାତ୍ରୀଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି ଏବଂ ଏହା ସାମାଜିକ ସମନ୍ୱୟକୁ ବିଘ୍ନିତ କରି ସାଧାରଣ ଶାନ୍ତି ଭଙ୍ଗ କରିପାରେ।

ଏହି କ୍ଷମା ପ୍ରାର୍ଥନା ଭିଡିଓ ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ର ଆନ୍ଦୋଳନ ସମୟରେ ତାଙ୍କ ବିରୋଧରେ ଲାଗିଥିବା ଅପମାନଜନକ ସ୍ଲୋଗାନକୁ ନେଇ ସଂଯମ ଓ କ୍ଷମାର ବାର୍ତ୍ତା ଦେଇ ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଶୁକ୍ରବାର ରାତିରେ ପୋଷ୍ଟ ହୋଇଥିବା ସେହି ଭିଡିଓରେ ପ୍ରଧାନମନ୍ତ୍ରୀ କହିଥିଲେ, “ଗାଳି କେବେ ବି କୌଣସି ସମସ୍ୟାର ସମାଧାନ କରିପାରେ ନାହିଁ। ଭୁଲ ପଥରେ ଯାଇଥିବା ଯୁବପିଢ଼ିଙ୍କୁ ଦଣ୍ଡ ନୁହେଁ, ବରଂ ସଠିକ୍ ପଥ ଦେଖାଇବା ଦରକାର।”

ସେ କହିଥିଲେ, “ଜନ୍ତର ମନ୍ତରରେ ଯାହା ଘଟିଲା, ତାହାକୁ ଦେଶ ଓ ବିଶ୍ୱ ଦେଖିଛି। କିଛି ବିପଥଗାମୀ ଯୁବକ ଏପରି ଭାଷା ବ୍ୟବହାର କରିଛନ୍ତି, ଯାହାର ସଭ୍ୟ ସମାଜରେ କୌଣସି ସ୍ଥାନ ନାହିଁ। ସେମାନେ ମୋତେ ଗାଳି ଦେଇଛନ୍ତି, ଏପରିକି ମୋର ସ୍ୱର୍ଗତ ମା’ଙ୍କୁ ମଧ୍ୟ ଅପମାନ କରିଛନ୍ତି।”

ସେ ଏହି ଯୁବକମାନଙ୍କୁ “ବିପଥଗାମୀ” ବୋଲି କହି ଯୋଡ଼ିଥିଲେ ଯେ, “ରାଗ କିମ୍ବା ପ୍ରତିଶୋଧ ଏହାର ସମାଧାନ ନୁହେଁ। ପିଲାବେଳେ ଭୁଲ ହୁଏ, ଆଉ ସେହି ପିଲାବେଳେ ଭୁଲ ସୁଧାରିବାର ସୁଯୋଗ ମଧ୍ୟ ମିଳେ। ଯୁବାବସ୍ଥାର ଏହା ହିଁ ବୈଶିଷ୍ଟ୍ୟ।”

ପ୍ରଧାନମନ୍ତ୍ରୀ କହିଥିଲେ, “ସମାଜରେ କ୍ରୋଧ ଅଛି, ମୁଁ ତାହାକୁ ବୁଝିପାରୁଛି। କିନ୍ତୁ ବର୍ତ୍ତମାନ ସମୟ ହେଉଛି ଏହି ପିଲାମାନଙ୍କୁ ଆପଣାଇବା ଓ ସଠିକ୍ ପଥ ଦେଖାଇବାର। ସେମାନେ ବିପଥଗାମୀ ପିଲା। ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ଆମର କର୍ତ୍ତବ୍ୟ। ସେମାନଙ୍କୁ ଦଣ୍ଡ ଦେବା, କୋର୍ଟକୁ ଟାଣିବା କିମ୍ବା ହଇରାଣ କରିବା ଦ୍ୱାରା ପରିସ୍ଥିତି ବଦଳିବ ନାହିଁ।”

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, “ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହୁଁଛି। ସମାଜକୁ ମଧ୍ୟ ଅନୁରୋଧ କରୁଛି, ମୋ କଥାକୁ ଗ୍ରହଣ କରନ୍ତୁ। ଗାଳି କେବେ ବି ସମସ୍ୟାର ସମାଧାନ ନୁହେଁ। ଯେଉଁମାନେ ପଥଭ୍ରଷ୍ଟ ହୋଇଛନ୍ତି, ସେମାନଙ୍କୁ ସଠିକ୍ ପଥ ଦେଖାଇବା। ଆସନ୍ତୁ, ଆମେ ସମସ୍ତେ ମିଶି ଭାରତ ପାଇଁ କାମ କରିବା।