Blog
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ! ଅଭିଭାବକଙ୍କ ଅସନ୍ତୋଷ, ଶିକ୍ଷା ବିଭାଗର ସ୍ପଷ୍ଟୀକରଣ
ରାଜ୍ୟରେ ପୁଣିଥରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ତେଜିଛି। ପ୍ରଥମ ଶ୍ରେଣୀର ଭାଷା ଓ ପରିବେଶ ସମନ୍ୱିତ ପାଠ୍ୟପୁସ୍ତକ ‘ଝୁଲଣା-୧’ରେ ଏକାଧିକ ଗୁରୁତର ତ୍ରୁଟି ଥିବା ଅଭିଯୋଗ ହୋଇଛି । ବିଶେଷ କରି ବହିର ଆରମ୍ଭରେ ଉଲ୍ଲେଖ ଥିବା ‘ଆମ ଜାତୀୟ ସଙ୍ଗୀତ’ରେ ଶବ୍ଦ ‘ଉତ୍କଳ’କୁ ‘ଉତ୍ଳଳ’ ଭାବେ ଲେଖାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।
କେବଳ ଜାତୀୟ ସଙ୍ଗୀତରେ ନୁହେଁ, ବହିର ସମଗ୍ର ବିଷୟବସ୍ତୁରେ ମଧ୍ୟ ଅନେକ ଅସଙ୍ଗତି ଥିବା ଅଭିଯୋଗ ହେଉଛି। ସାଧାରଣତଃ ପ୍ରଥମ ଶ୍ରେଣୀରେ ପିଲାମାନଙ୍କୁ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ କ୍ରମାନୁସାରେ ଶିଖାଯାଏ। କିନ୍ତୁ ଏହି ପାଠ୍ୟପୁସ୍ତକରେ ପ୍ରଥମ ଅକ୍ଷର ଭାବେ ‘ଚ’ ଉଲ୍ଲେଖ ରହିଛି । ଏହା ପରେ ‘ଟ’, ‘ମ’, ‘ଗ’ ଓ ‘ର’ ଆସୁଛି। ପରବର୍ତ୍ତୀ ପୃଷ୍ଠାରେ ଯାଇ ‘ଅ’ ଓ ‘ଆ’, ତା’ପରେ ‘ଝ’ ଓ ‘କ’ ଦିଆଯାଇଛି। ଏଭଳି ଅକ୍ଷର ବିନ୍ୟାସକୁ ନେଇ ଅଭିଭାବକ ଓ ଶିକ୍ଷାବିତମାନେ ପ୍ରଶ୍ନ ଉଠାଇଛନ୍ତି।
ଅଭିଭାବକଙ୍କ କହିବା ଅନୁଯାୟୀ, ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବହିରେ ଯାହା ଲେଖାଯାଇଥାଏ, ତାହାକୁ ସଠିକ୍ ବୋଲି ବିଶ୍ୱାସ କରନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଶିଶୁମାନଙ୍କ ଶିକ୍ଷାରେ ଭୁଲ ଧାରଣା ସୃଷ୍ଟି କରିପାରେ ବୋଲି ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଏଥର ପାଠ୍ୟପୁସ୍ତକର ମୁଦ୍ରିତ ସଂସ୍କରଣ ବଣ୍ଟନ ନକରି ଅଭିଭାବକମାନଙ୍କୁ ପିଡିଏଫ୍ ଫର୍ମାଟ୍ରେ ପୁସ୍ତକ ପଠାଯାଇଥିବା ମଧ୍ୟ ଅସନ୍ତୋଷର ଅନ୍ୟତମ କାରଣ ପାଲଟିଛି। ସୋସିଆଲ୍ ମିଡିଆରେ ବହିର ଏହି ତ୍ରୁଟି ଗୁଡ଼ିକର ସ୍କ୍ରିନ୍ଶଟ୍ ଭାଇରାଲ୍ ହେବା ପରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଳରୁ ସମାଲୋଚନା ଆରମ୍ଭ ହୋଇଛି।
ତେବେ ଏହି ଘଟଣାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟୀକରଣ ଜାରି କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ପ୍ରଚାରିତ ଖବରର କୌଣସି ଯଥାର୍ଥତା ନାହିଁ। ଶିକ୍ଷାବିତ ଓ ବିଷୟ ବିଶେଷଜ୍ଞମାନଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକର ସଂଶୋଧନ ପ୍ରକ୍ରିୟା ଜାରି ରହିଛି।
ବିଭାଗ ଆହୁରି କହିଛି ଯେ, ଅନ୍ତିମ ସଂଶୋଧନ ସମ୍ପୂର୍ଣ୍ଣ ହେବା ପରେ ଖୁବଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ସେପର୍ଯ୍ୟନ୍ତ ଭାଇରାଲ୍ ହେଉଥିବା ଅସମ୍ପୂର୍ଣ୍ଣ କିମ୍ବା ପ୍ରାରମ୍ଭିକ ସଂସ୍କରଣକୁ ନେଇ ଅଯଥା ବିଭ୍ରାନ୍ତ ନହେବାକୁ ବିଭାଗ ପରୋକ୍ଷ ଭାବେ ସୂଚନା ଦେଇଛି।
ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ପ୍ରକାଶିତ ଖବରକୁ ନେଇ ସ୍ପଷ୍ଟୀକରଣ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା ନେଇ ପ୍ରସାରିତ ଖବରର କୌଣସି ଯଥାର୍ଥତା ନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବିଭାଗ କହିଛି ଯେ, ନୂତନ ଜାତୀୟ ଶିକ୍ଷା ନୀତି (NEP) ଅନୁସାରେ ପାଠ୍ୟକ୍ରମକୁ ଅଧିକ ଉନ୍ନତ ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁକୂଳ କରିବା ପାଇଁ ପାଠ୍ୟ ପୁସ୍ତକ ସଂଶୋଧନ ପ୍ରକ୍ରିୟା ଚାଲିଛି। ଏହି କାର୍ଯ୍ୟ ଶିକ୍ଷାବିତ, ବିଷୟ ବିଶେଷଜ୍ଞ ଏବଂ ଅଭିଜ୍ଞ ଶିକ୍ଷକମାନଙ୍କ ପରାମର୍ଶ ଓ ମତାମତକୁ ଆଧାର କରି କରାଯାଉଛି। ସଂଶୋଧନ ପ୍ରକ୍ରିୟା ସମୟରେ ମିଳୁଥିବା ପରାମର୍ଶଗୁଡ଼ିକୁ ବିଚାର କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯାଉଛି।
ବିଭାଗ ଆହୁରି କହିଛି ଯେ, ପାଠ୍ୟ ପୁସ୍ତକରେ ତ୍ରୁଟି ରହିଛି ବୋଲି ପ୍ରଚାର କରାଯାଉଥିବା ଖବର ଭିତ୍ତିହୀନ ଏବଂ ଏହାକୁ ନେଇ ଅଯଥା ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୁଣାତ୍ମକ ମାନର ପାଠ୍ୟ ପୁସ୍ତକ ପ୍ରସ୍ତୁତି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ଯେ, ସଂଶୋଧନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ରହିଛି ଏବଂ ଖୁବ ଶୀଘ୍ର ସଂଶୋଧିତ ପାଠ୍ୟ ପୁସ୍ତକ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଏହାସହ ବିଭାଗ ଗୁଜବ କିମ୍ବା ଅପ୍ରମାଣିତ ସୂଚନା ଉପରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନାକୁ ଗୁରୁତ୍ୱ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛି।
- Trending




