Blog
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ମହାଘୋଟାଲା: ନିୟମକୁ ଫୁ’ କରି ପ୍ରଶାସନିକ ଚାପ ଅଭିଯୋଗ!
• ନିୟମକୁ ଫୁ’ କରି ଲେଭେଲ୍-୧୨ ପାଇଁ ପ୍ରଶାସନିକ ଚାପ!
• ପଦୋନ୍ନତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମତି ନିଆଯାଇଛି କି?
• ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରୁ ପୂର୍ବ ଅନୁମୋଦନ ମିଳିଛି କି?
• ୟୁଜିସିକୁ ଏହି ଆର୍ଥିକ ପଦୋନ୍ନତି ସମ୍ପର୍କରେ ସୂଚିତ କରାଯାଇଛି କି?

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଏବେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡଃ ଫାଗୁନାଥ ଭୋଇଙ୍କ ନିଯୁକ୍ତି ଓ ପଦୋନ୍ନତି ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରୁଛି । ଜନସମ୍ପର୍କ ଅଧିକାରୀ ପଦବୀଟି ଏକ ‘ଷ୍ଟାଣ୍ଡ ଆଲୋନ’ ପଦ ହୋଇଥିବାରୁ ଏଥିରେ ପଦୋନ୍ନତି ପାଇଁ ନିଯୁକ୍ତି ନିୟମାବଳୀରେ କୌଣସି ବ୍ୟବସ୍ଥା ନାହିଁ । ତଥାପି, ଲେଭେଲ୍ -୧୦ ପଦବୀକୁ କେଉଁ ଆଧାରରେ ଲେଭେଲ୍-୧୧ କୁ ଉନ୍ନୀତ କରାଗଲା ଏବଂ ଏବେ ପୁଣି ଲେଭେଲ୍-୧୨ ପାଇଁ କିପରି ପ୍ରୟାସ ଚାଲିଛି, ତାହାକୁ ନେଇ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କିମ୍ବା ୟୁଜିସି ର ଆବଶ୍ୟକୀୟ ପୂର୍ବ ଅନୁମୋଦନ ନିଆଯାଇ ନଥିବା ସନ୍ଦେହ କରାଯାଉଛି, ଯାହା ବିଶ୍ୱବିଦ୍ୟାଳୟର ପାରଦର୍ଶିତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ, ଡଃ ଭୋଇ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଜାତି ଆଧାରିତ ପରିସ୍ଥିତିକୁ ଅସ୍ତ୍ର ଭାବେ ବ୍ୟବହାର କରି ବିଶ୍ୱବିଦ୍ୟାଳୟର ଶିକ୍ଷକ, ଅଣ ଶିକ୍ଷକ ଓ ପ୍ରଶାସନିକ କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସେ ତତ୍କାଳୀନ କୁଳପତିଙ୍କୁ ଚାପରେ ରଖି ଲେଭେଲ୍-୧୧ ପଦୋନ୍ନତି ହାସଲ କରିଥିଲେ ଏବଂ ଏବେ ଲେଭେଲ୍-୧୨ ପାଇଁ ପୁଣି ସମାନ କୌଶଳ ଆପଣାଉଛନ୍ତି। ଏପରିକି ନିଜ ସ୍ୱାର୍ଥ ସିଦ୍ଧି ନହେଲେ ଛାତ୍ରଛାତ୍ରୀଙ୍କୁ ଜାତି, ଧର୍ମ ଓ ରାଜନୀତି ଭିତ୍ତିରେ ବିଭକ୍ତ କରି ଆନ୍ଦୋଳନ ସୃଷ୍ଟି କରିବା ସହ ସହକର୍ମୀଙ୍କୁ ଅଟ୍ରୋସିଟି ମାମଲା ବା ଜାତିଗତ ଆକ୍ଷେପର ଭୟ ଦେଖାଉଥିବା କୁହାଯାଉଛି । ନିକଟରେ ସୁରକ୍ଷା ଅଧିକାରୀଙ୍କ ଉପରେ ହୋଇଥିବା ଏକ ଜାତି ଆଧାରିତ ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଏସସି/ଏସଟି କମିଟି ତଥ୍ୟହୀନ ବୋଲି ପାଇବା ପରେ ଏହି ଚର୍ଚ୍ଚା ଆହୁରି ଘନୀଭୂତ ହୋଇଛି। Executive Committe ତାଙ୍କୁ ତାଗିଦ କରିଥିଲେ।

ଡଃ ଭୋଇଙ୍କ ପୂର୍ବ କାର୍ଯ୍ୟକାଳକୁ ନେଇ ମଧ୍ୟ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ସୂଚନା ଅନୁଯାୟୀ, ସେ ପୂର୍ବରୁ ସଂସଦରେ ପ୍ରଡକ୍ସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ସମୟରେ ଏକ ଗୁରୁତର ଅଭିଯୋଗ କାରଣରୁ ଚାକିରିରୁ ବାହାର କରାଯାଇଥିଲା। ଏହା ବ୍ୟତୀତ, ଡେପୁଟି ରେଜିଷ୍ଟ୍ରାର (ଇନଚାର୍ଜ) ଭାବେ ଦାୟିତ୍ୱ ତୁଲାଇବା ସମୟରେ ଏକ ନିର୍ଦ୍ଦିଷ୍ଟ ନିର୍ମାଣ ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ପାଇଁ ସୁପାରିଶ କରିଥିଲେ, ଯେଉଁଥିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଗାରିମା ରକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସି ପକ୍ଷରୁ ଏହି ସମଗ୍ର ଘଟଣାର ଏକ ଉଚ୍ଚସ୍ତରୀୟ ତଥା ସମୟବଦ୍ଧ ତଦନ୍ତ କରିବାକୁ ଏବେ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି । ଏହି ସମଗ୍ର ଘଟଣା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ପାରଦର୍ଶିତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
- Trending



