ଗୁଳୁଗୁଳିରେ କଲବଲ ଉପକୂଳ | ତାପମାତ୍ରା ଆହୁରି ବଢିବ !

ଜଳୁଛି ପଶ୍ଚିମ ଓଡ଼ିଶା… ଆଉ ଗୁଳୁଗୁଳିରେ କଲବଲ ଉପକୂଳ ଓଡ଼ିଶା । ସକାଳ ହେଉ କି ଦିନ… ତାତିରୁ ମିଳୁନି ନିସ୍ତାର । ଅସହ୍ୟ ଗରମ ସହ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।ଆଉ ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଅପଡେଟ୍ । ଆଜିଠାରୁ ରାଜ୍ୟରେ ଆହୁରି ବଢିବ ତାପମାତ୍ରା । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କା କରାଯାଉଛି ।


ରାଜ୍ୟରେ ଏବେ ଦୁଇ ପ୍ରକାର ପାଗ ଦେଖିବାକୁ ମିଳୁଛି । ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ… ଅନ୍ୟପଟେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ।ସକାଳ ୯ଟା ପରେ ଘର ବାହାରେ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ ବଢିବା ସହ ବଢୁଛି ତାତିର ପ୍ରକୋପ । ସହର ହେଉ କି ଗାଁ… ସବୁଠି ଅସହ୍ୟ ଗରମରେ ନୟାନ୍ତ ହୋଇପଡିଛନ୍ତି ଲୋକେ ।ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଦିନବେଳା ବାହାରକୁ ଯିବା ପୂର୍ବରୁ ଲୋକେ ଶହେ ଥର ଭାବୁଛନ୍ତି । କାରଣ ଗରମ ସହ ଆର୍ଦ୍ରତାର ପ୍ରଭାବ ଲୋକଙ୍କୁ କଲବଲ କରୁଛି ।


ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଜିଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢିବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।ବିଶେଷକରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସ୍ଥିତି ଆହୁରି ସାଂଘାତିକ ହୋଇପାରେ । ଆର୍ଦ୍ରତା ଅଧିକ ରହୁଥିବାରୁ ଲୋକମାନେ ଅସ୍ବାଭାବିକ ଗରମ ଅନୁଭବ କରିପାରନ୍ତି । ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ, ଜଗତସିଂହପୁର , ପୁରୀ , ନୟାଗଡ , ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅନ୍ୟପଟେ ଗରମ ଭିତରେ ଆଶ୍ୱସ୍ତିର ଖବର ମଧ୍ୟ ରହିଛି । ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।