EV ଟେନସନରେ ସରକାର ? ଜୁନ୍ ୧ରୁ ବଦଳିବ ନିୟମ !

ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମାଅ | ସରକାରୀ କାର୍ଯ୍ୟକ୍ରମରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏନେଇ ଚିଠି କରିଛନ୍ତି ଉନ୍ନୟନ କମିଶନର | ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକସ୍ତରୀୟ କାର୍ଯ୍ୟାଳୟ, ସରକାରୀ ଓ ସରକାରୀ ସମର୍ଥିତ ଉଦ୍ୟୋଗ, ସଂସ୍ଥା, ବିଶ୍ବବିଦ୍ୟାଳୟ ଓ ସମିତି ଗୁଡିକରେ ନିର୍ଦ୍ଦେଶର କଡ଼ା ଅନୁପାଳନ କରିବାକୁ କୁହାଯାଉଛି | ହେଲେ ଏହାରି ଭିତରେ ସରକାରଙ୍କୁ ଘାରିଛି ଇଭି ଟେନସନ୍ |

ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ କାରକେଡ଼ଙ୍କୁ ସଂକୁଚିତ କରି କମ୍ ଗାଡ଼ି ବ୍ୟବହାର ଉପରେ ଦେଉଛନ୍ତି ଗୁରୁତ୍ବ | ଜୁନ୍ ଆରମ୍ଭରୁ ଲୋକସେବା ଭବନରୁ ବ୍ଲକ୍ ପର୍ଯ୍ୟନ୍ତ ଇଭି ବ୍ୟବହାର ପାଇଁ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ | ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଆସନ୍ତା ଜୁନ୍ ପହିଲାରୁ ସରକାରୀ ଅଫିସ୍ ପାଇଁ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ EV ହୋଇଥିବା ବାଧ୍ୟତାମୂଳକ | ସେହିଭଳି, ଜୁନ୍ ପହିଲାରୁ ସରକାରୀ ଅଫିସରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରି ଚକିଆ ଯାନଗୁଡ଼ିକ EV ହେବା ବାଧ୍ୟତାମୂଳକ କରାଯିବ| ବଡ଼ ପ୍ରଶ୍ନ ହେଲା, କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ଇଭି ଉପଲବ୍ଧ ହୋଇପାରିବ ତ?

ତେଲ ସଂକଟ ବଢ଼ିବା ପରେ ବଜାରରେ ଇଭି ମଟର୍ ସାଇକେଲଠାରୁ କାର୍ ପର୍ଯ୍ୟନ୍ତ ଚାହିଦା ଢେର୍ ବଢ଼ିଛି ମାତ୍ର ସେହି ଅନୁପାତରେ ଗାଡ଼ି ଉତ୍ପାଦନ ହେଉନଥିବାରୁ ବୁକିଂ କଲେ ବହୁ ବଳିମ୍ବରେ ଇଭି ଗାଡି ମିଳୁଛି | ଏହାବାଦ୍ ରାଜ୍ୟରେ ଇଭି ଚାର୍ଜିଂ ପଏଣ୍ଟ ସଂଖ୍ୟା କମ୍ ଥିବାରୁ ତାକୁ ନେଇବି ଉପୁଜିଛି ଆଶଙ୍କା | ଏଥିପ୍ରତି ପ୍ରଥମେ ସରକାର ଧ୍ୟାନ ଦେବା ଜରୁରୀ | ସୂଚନା ଅନୁସାରେ ରାଜ୍ୟରେ ସରକାରୀ ଭାବେ ରେଜିଷ୍ଟ୍ରେସନ ହୋଇଛି କୋଟିଏରୁ ଅଧିକ ଗାଡ଼ି | ବାୟୁ ପ୍ରଦୂଷଣ କମାଇବା ପାଇଁ ରାଜ୍ୟ ସରକାର ୨୦୨୧ ମସିହାରେ ଇଭି ପଲିସି ଆଣିଥିଲେ | ଆଉ ୨୦୩୬ ମସିହା ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଇଭି ଗାଡ଼ି ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଛି |