Blog
ଇଂରାଜୀ ଭାଷାର ନାହିଁ ଭୟ | ଓଡ଼ିଆରେ ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ |
ଓଡ଼ିଆ ଭାଷାରେ ଏଣିକି ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ ।ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସି ଆଣିଛି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି । ଚଳିତ ଶିକ୍ଷାବର୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । ଆଉ ସବୁଠାରୁ ବଡ଼ କଥା ହେଉଛି ପିଲାମାନେ ଚାହିଲେ ଓଡ଼ିଆରେ ପରୀକ୍ଷା ବି ଦେଇପାରିବେ ।

ପ୍ରତିବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଆ ମାଧ୍ୟମରେ ମାଟ୍ରିକ୍ ପାସ୍ କରୁଥିଲେ ମଧ୍ୟ ଇଂରାଜୀ ଭୟରେ ଅନେକ ପିଲା ବିଜ୍ଞାନ ପଢ଼ିବାକୁ ସାହସ କରୁନଥିଲେ । ଯାହାର ପରିଣାମ ସ୍ୱରୂପ…ରାଜ୍ୟରେ ପ୍ରତିବର୍ଷ +୨ ବିଜ୍ଞାନର ପ୍ରାୟ ୮୦ ହଜାର ସିଟ୍ ଖାଲି ପଡ଼ୁଥିଲା । ଅନେକ ମେଧାବୀ ପିଲା କେବଳ ଭାଷା ସମସ୍ୟା ପାଇଁ ସାଇନ୍ସ ଛାଡ଼ି ଆର୍ଟ୍ସ କିମ୍ବା କମର୍ସକୁ ଯାଉଥିଲେ । ଆଉ ଅନେକ ପିଲା ମନରେ ଇଚ୍ଛା ଥିଲେ ବି ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ସ୍ୱପ୍ନ ଛାଡ଼ିଦେଉଥିଲେ । ଏବେ କିନ୍ତୁ ସେହି ସମସ୍ୟାର ସମାଧାନ ହୋଇଛି ।

‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ପକ୍ଷରୁ ପ୍ରଥମେ ଇଞ୍ଜିନିୟରିଂ ବହି ଓଡ଼ିଆରେ ପ୍ରସ୍ତୁତ କରାଯାଇଥିଲା । ଆଉ ଏବେ +୨ ବିଜ୍ଞାନ ବହି ମଧ୍ୟ ଓଡ଼ିଆରେ ଆସିଛି । ରାଜ୍ୟର ପ୍ରାୟ ସାଢ଼େ ୬ ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଏହି ବହି ପଠାଯାଉଛି । କେବଳ ବହି ଦେଇ ଦାୟିତ୍ୱ ସରିଯାଇନି | ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଯେପରି ପିଲାମାନେ ସହଜ ଓ ସରଳ ଭାବରେ ବିଜ୍ଞାନ ବୁଝିପାରିବେ | ସେଥିପାଇଁ ପ୍ରତ୍ୟେକ ଅଧ୍ୟାୟକୁ ଖୁବ ସହଜ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ଯୋଜନାର ସମୀକ୍ଷା କରିଛନ୍ତି । ସମସ୍ତ ଅଧିକାରୀଙ୍କୁ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମସ୍ ପୋର୍ଟାଲରେ ନାମଲେଖା ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନକୁ ପ୍ରଥମ ପସନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । କାରଣ ସରକାରଙ୍କ ଲକ୍ଷ୍ୟ ହେଉଛି ଓଡ଼ିଆ ଭାଷାର ପିଲାଙ୍କୁ ବିଜ୍ଞାନ ଶିକ୍ଷାରେ ଆଗକୁ ଆଣିବା ।
- Trending




