ଭଙ୍ଗା ହେଲା ୭୦ ଫୁଟ ଉଚ୍ଚତାର ମୂର୍ତ୍ତି

କୋଲକାତାରେ ଭଙ୍ଗାଗଲା ଲିଓନେଲ ମେସିଙ୍କ ବିଶାଳ ମୂର୍ତ୍ତି । ମେସିଙ୍କ ଭାରତ ଗସ୍ତ ବେଳେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ୭୦ ଫୁଟ୍ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯାଇଥିଲା । କୋଲକାତାର ଫୁଟବଲ ପ୍ରେମୀମାନଙ୍କ ମଧ୍ୟରେ ମେସିଙ୍କ ଲୋକପ୍ରିୟତା କେତେ ଅଧିକ…ତାହା ଦେଖାଇବା ପାଇଁ ଏହି ମୂର୍ତ୍ତି ତିଆରି କରାଯାଇଥିଲା । ପ୍ରାୟ ୨୭ ଦିନ ଧରି ଲଗାତାର କାମ ଚାଲିଥିଲା । କଳାକାର ଓ କାରିଗରମାନେ ଦିନରାତି ପରିଶ୍ରମ କରି ମେସିଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ଗଢ଼ିଥିଲେ ।ତେବେ ଟିକିଏ ବି ଜୋରରେ ପବନ ବହିଲେ ମୂର୍ତ୍ତିଟି ହଲୁଥିବାରୁ ଏହାକୁ କୋଲକାତା ନଗର ନିଗମ ବିପଦପୂର୍ଣ୍ଣ ଶ୍ରେଣୀରେ ସାମିଲ କରିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଗତ ‌ସୋମବାର ଆନୁଷ୍ଠାନିକ ଭାବେ ମୂର୍ତ୍ତିଟିକୁ ଭାଙ୍ଗି ଦିଆଯାଇଥିଲା।

 

ଏହି ସମୟରେ ବିରୋଧ ଓ ବିକ୍ଷୋଭର ଆଶଙ୍କା କରି ପାଖାପାଖି ୫,୦୦୦ ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତକୁ ସେମି ତାଙ୍କ ବିବାଦୀୟ ‘ଗୋଟ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଗସ୍ତ କରିଥିଲେ। ଅନ୍ୟ ସବୁସ୍ଥାନରେ ତାଙ୍କ କାର୍ଯ୍ୟକ୍ରମ ସୁରୁଖୁରୁରେ ଶେଷ ହୋଇଥିଲା। ହେଲେ କୋଲକାତାରେ ଘୋର ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଏପରିକି ତାଙ୍କର ଟିକିଏ ବି ଝଲକ ନମିଳିବାରୁ ପ୍ରଶଂସକମାନେ ସଲ୍‌ଟ ଲେକ୍ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା କରିବା ସହ ଚେୟାର ଟେବୁଲ୍‌ ଫିଙ୍ଗାଫିଙ୍ଗି କରିଥିଲେ। ଗତକିଛି ଦିନ ତଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ପଶ୍ଚିମବଙ୍ଗର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସଙ୍କ ପାଇଁ ଏଭଳି ଲଜ୍ଜାଜନକ ଘଟଣା ଘଟିଥିଲା ବୋଲି ଅଭିଯୋଗ କରିଥିଲେ।