ବଙ୍ଗୋପସାଗରରେ ବର୍ଷା ଆତଙ୍କ ! ସମୁଦ୍ର ଭିତରକୁ ଯିବା ମନା |

ବଙ୍ଗୋପସାଗରରେ ବଢ଼ୁଛି ପାଗର ପ୍ରଭାବ । ପ୍ରବଳ ବର୍ଷା ଓ ଝଡ଼ ପବନ ଆଶଙ୍କାରେ ଚିନ୍ତାରେ ଉପକୂଳ ଅଞ୍ଚଳର ଲୋକ । ଦୁଇଦିନ ଧରି ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହା ପରେ ଆକ୍ସନ୍ ମୋଡ୍‌କୁ ଆସିଛି ମତ୍ସ୍ୟ ବିଭାଗ । ଭୋଗରାଇ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।ଚନ୍ଦନେଶ୍ୱର ମତ୍ସ୍ୟ କର୍ମଚାରୀମାନେ ଆଜି ସକାଳୁ ଡାକବାଜି ଯନ୍ତ୍ର ଧରି ବିଭିନ୍ନ ଉପକୂଳ ଅଞ୍ଚଳରେ ଲୋକଙ୍କୁ ସଚେତନ କରିଛନ୍ତି ।

ଭୋଗରାଇର ଉଦୟପୁର…ବିଚିତ୍ରପୁର…ଏବଂ କୀର୍ତ୍ତନୀୟ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ସବୁଠି ଏବେ ହାଇ ଆଲର୍ଟ ..ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି…କାଲି ଯାଏ ସମୁଦ୍ର ଭିତରକୁ ଯିବେ ନାହିଁ ।କାରଣ ସମୁଦ୍ରରେ ଉଚ୍ଚ ଜୁଆର ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି ।ଯେକୌଣସି ମୁହୂର୍ତ୍ତରେ ସମୁଦ୍ର ଆହୁରି ଉତ୍ତାଳ ହୋଇପାରେ ।ଛୋଟ ଡଙ୍ଗା କିମ୍ବା ଟ୍ରଲର ପାଇଁ ଏହା ବହୁତ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରାଯାଇଛି ।କେବଳ ମତ୍ସ୍ୟଜୀବୀ ନୁହେଁ…ଉପକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

ସମୁଦ୍ର ଜଳସ୍ତର ବଢ଼ିପାରେ ।କିଛି ଅଞ୍ଚଳରେ ପାଣି ପସିବାର ଆଶଙ୍କା ମଧ୍ୟ ରହିଛି ।ତେଣୁ ଲୋକମାନଙ୍କୁ ସତର୍କ ରହିବା ସହ ଅପ୍ରୟୋଜନୀୟ ଭାବେ ସମୁଦ୍ର କୂଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।ବିଶେଷ କରି ପର୍ଯ୍ୟଟକଙ୍କୁ ବି ସମୁଦ୍ର ଭିତରକୁ ନ ଯିବା ପାଇଁ ସଚେତନ କରାଯାଉଛି ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ…ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଗ ପରିସ୍ଥିତି କାରଣରୁ ଦୁଇ ଦିନ ଧରି ସମୁଦ୍ରରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ଜୋରଦାର ପବନ ବହିପାରେ ।ଯେଉଁ କାରଣରୁ ସମୁଦ୍ରରେ ବଡ଼ ବଡ଼ ଢେଉ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆଉ ଏହା ସିଧାସଳଖ ଭାବେ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ଆଣିପାରେ ।ସେଥିପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ କଡ଼ା ସତର୍କତା ଜାରି କରାଯାଇଛି ।ମତ୍ସ୍ୟଜୀବୀମାନଙ୍କୁ ନିଜ ନିଜର ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି ।ଯେଉଁମାନେ ଏବେ ସମୁଦ୍ର ଭିତରେ ଅଛନ୍ତି…ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ସୂଚନା ଦିଆଯାଇଛି ।କୌଣସି ପ୍ରକାର ଅବହେଳା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।