‘ଧୁରନ୍ଧର’ ଫିଲ୍ମ ଦେଖି ୧୨ ବର୍ଷର ଛୁଆ ଲେଖିଲା ବୋମା ବିସ୍ଫୋରଣ ଧମକପୂର୍ଣ୍ଣ ଚିଠି !

ଅହମଦାବାଦର ସର୍ଦାର ପଟେଲ ଷ୍ଟାଡିୟମ ନିକଟରେ ଥିବା ଏକ ସ୍ପୋର୍ଟ୍ସ କ୍ଲବରୁ ବୋମା ବିସ୍ଫୋରଣ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସେହି ଚିଠିରେ ଦାଉଦ ଇବ୍ରାହିମ ଏବଂ ଲସ୍କର-ଇ-ତୈବାର ନାମ ଲେଖାଯାଇ କ୍ଲବକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଚିଠିଟି ସାମ୍ନାକୁ ଆସିବା ପରେ ପୋଲିସ, ବୋମା ନିଷ୍କ୍ରିୟ ଟିମ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ତତ୍ପର ହୋଇଥିଲେ। ହେଲେ ଏବେ ଏହି ପୁରା ଘଟଣାର ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି।

ଅହମଦାବାଦର ନାରଣପୁରା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି ଯେ, ଏହା କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ନଥିଲା। ବରଂ ଏହି ଧମକପୂର୍ଣ୍ଣ ଚିଠି ସୁରତର ଜଣେ କପଡ଼ା ବ୍ୟବସାୟୀଙ୍କ ୧୨ ବର୍ଷୀୟ ପୁଅ ଲେଖିଥିଲା। ଶିଶୁଟି ମଜା ମଜାରେ ଏହି ଚିଠି ଲେଖିଥିଲେ ମଧ୍ୟ ଏହା ଯୋଗୁ ସୁରକ୍ଷା ସଂସ୍ଥା ଗୁଡ଼ିକୁ ଅନେକ ଦିନ ଧରି ତଦନ୍ତ କରିବାକୁ ପଡ଼ିଥିଲା। ପୋଲିସ ଏବଂ ଫରେନ୍ସିକ ତଦନ୍ତ ଆଧାରରେ ଏହି ଘଟଣାର ରହସ୍ୟର ପର୍ଦ୍ଦାଫାଶ ହୋଇଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ବଡ଼ ବ୍ୟବସାୟୀଙ୍କ ପରିବାର ସ୍ପୋର୍ଟ୍ସ କ୍ଲବର ଏକ ରୁମରେ ରହୁଥିଲେ। ସେହି ସମୟରେ ୧୨ ବର୍ଷୀୟ ଶିଶୁଟି ଫିଲ୍ମ ‘ଧୁରନ୍ଧର’ର ଦେଖି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ, ଧମକପୂର୍ଣ୍ଣ ଚିଠି ଲେଖିବା ପାଇଁ ମଧ୍ୟ ପଛାଇଲା ନାହିଁ । ସେହି ଚିଠିରେ ଦାଉଦ ଇବ୍ରାହିମ ଓ ଲସ୍କର-ଇ-ତୈବାର ନାମ ବ୍ୟବହାର କରି ୨୧ ଜୁନରେ ବିସ୍ଫୋରଣ ଘଟାଇବାର ଚେତାବନୀ ମଧ୍ୟ ସେ ଦେଇଥିଲା । ଶିଶୁଟି ଏହାକୁ କେବଳ ମଜା ମଜାରେ ଲେଖିଥିଲା ବୋଲି ପରେ ଜଣାପଡିଥିଲା ।

ଚିଠି ଲେଖିବା ପରେ ସେ ଏହାକୁ ରୁମର ଡିଜିଟାଲ ଲକର ଭିତରେ ରଖି ଦେଇଥିଲା। ପରେ ଲକରଟି ବନ୍ଦ ହୋଇଯାଇଥିଲା ଏବଂ ଚିଠିଟି ତାହା ଭିତରେ ରହିଯାଇଥିଲା। ଶିଶୁଟି ଲକରର କୋଡ୍ ଭୁଲିଯାଇଥିବାରୁ ଏହାକୁ ପୁଣି ଖୋଲିପାରିନଥିଲା। ଫଳରେ ଚିଠିଟି ସେଠାରେ ରହିଗଲା ଏବଂ କାହାରି ନଜରକୁ ଆସିନଥିଲା। ଶିଶୁଟିର ମାତାପିତା ମଧ୍ୟ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜଣା ଥିଲେ।

ପରେ ଅତିଥିମାନେ ଚେକ୍-ଆଉଟ୍ କରିସାରିବା ପରେ ଯେତେବେଳେ ସଫେଇ କର୍ମଚାରୀମାନେ ରୁମ ସଫା କରୁଥିଲେ, ସେତେବେଳେ ଲକର ଭିତରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠି ମିଳିବା ମାତ୍ରେ କ୍ଲବ ପରିଚାଳନା ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଚିଠିରେ ଆତଙ୍କବାଦୀ ସଂଗଠନ ଓ ବିସ୍ଫୋରଣର ଉଲ୍ଲେଖ ଥିବାରୁ ଭୟର ପରିବେଶ ସୃଷ୍ଟି ହୋଇଥିଲା। ସୁରକ୍ଷା ଏଜେନ୍ସି ଏହାକୁ ଗୁରୁତର ବିପଦ ଭାବେ ନେଇଥିଲେ।

ସୂଚନା ପାଇବା ମାତ୍ରେ ବୋମା ସ୍କ୍ୱାଡ୍, ବିଡିଡିଏସ୍, ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏବଂ ଡଗ୍ ସ୍କ୍ୱାଡ୍ ଟିମ୍ ସ୍ପୋର୍ଟ୍ସ କ୍ଲବରେ ପହଞ୍ଚିଥିଲେ। ଅନେକ ଘଣ୍ଟା ଧରି ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। କ୍ଲବର ରୁମ , ଲକର ଓ ଆଖପାଖ ଅଞ୍ଚଳ ଖୋଜାଖୋଜି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ତଦନ୍ତରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିଲା।

ଯେଉଁ କୋଠରୀରୁ ଧମକପୂର୍ଣ୍ଣ ଚିଠି ମିଳିଥିଲା, ତାହା ଜଣେ ଡାକ୍ତରଙ୍କ ନାମରେ ବୁକ୍ କରାଯାଇଥିଲା। ତାଙ୍କ ପରିବାରର ବ୍ୟବସାୟିକ ସମ୍ପର୍କ ଯୋଗୁ ତିନିଜଣ ତାଞ୍ଜାନିଆ ନାଗରିକ ସେଠାରେ ରହୁଥିଲେ। ସେମାନଙ୍କୁ ୧୧୭, ୧୧୮ ଏବଂ ୧୧୯ ନମ୍ବର ରୁମ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ କପୁଫି ଡୋନଟ୍ସ ଡେଭିଡ୍ ନାମକ ଜଣେ ବ୍ୟବସାୟୀ ୧୧୯ ନମ୍ବର ରୁମରେ ରହିଥିଲେ। ପ୍ରାରମ୍ଭିକତଦନ୍ତରେ ଏହି ବିଦେଶୀ ଅତିଥିମାନଙ୍କ ଉପରେ ମଧ୍ୟ ସନ୍ଦେହ କରାଯାଇଥିଲା।

ପୋଲିସ ଜାଣିବାକୁ ପାଇଥିଲା ଯେ, ତାଞ୍ଜାନିଆର ଏହି ବ୍ୟବସାୟୀମାନେ ୨୯ ମେ’ରେ କ୍ଲବକୁ ଆସିଥିଲେ ଏବଂ ୩୦ ମେ’ରେ ଚେକ୍-ଆଉଟ୍ କରିଥିଲେ। ଏହାପରେ ସେମାନେ ଦିଲ୍ଲୀ ଏବଂ ଚଣ୍ଡୀଗଡ଼ ଯାଇଥିଲେ। ଧମକପୂର୍ଣ୍ଣ ଚିଠି ମିଳିବା ସମୟରେ ସେମାନେ ଭାରତରେ ହିଁ ଥିବାରୁ ପୋଲିସ ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ କରିଥିଲା।

ପୋଲିସ ସ୍ପୋର୍ଟ୍ସ କ୍ଲବର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲା। ଚିଠିରେ ବ୍ୟବହୃତ ଇଂରାଜୀ କର୍ସିଭ୍ ହସ୍ତାକ୍ଷରର ମଧ୍ୟ ବିଶ୍ଳେଷଣ କରାଯାଇଥିଲା। ପ୍ରଥମେ ଲାଗୁଥିଲା ଯେ, ଏହି ଚିଠି କୌଣସି ଇଂରାଜୀରେ ପାରଙ୍ଗତ ବ୍ୟକ୍ତି ଲେଖିଛନ୍ତି। କିନ୍ତୁ ପଚରାଉଚରା ଓ ଫୁଟେଜ୍‌ରୁ କୌଣସି ଠୋସ ସୂତ୍ର ମିଳିନଥିଲା।

ପ୍ରାରମ୍ଭିକ ତଦନ୍ତରେ ସଫଳତା ନମିଳିବାରୁ ପୋଲିସ ଡିଜିଟାଲ ଲକର ନିର୍ମାତା କମ୍ପାନୀର ବୈଷୟିକ ବିଶେଷଜ୍ଞମାନଙ୍କ ସହଯୋଗ ନେଇଥିଲା। ଲକରର ଓପେନ୍ ଓ କ୍ଲୋଜ୍ ଲଗ୍ ଯାଞ୍ଚ କରାଯାଇଥିଲା। ରେକର୍ଡରୁ ଜଣାପଡ଼ିଥିଲା ଯେ ୨୪ ମେ ୨୦୨୬ ତାରିଖରେ ଲକରଟି ପ୍ରାୟ ୧୦ରୁ ୧୨ ଥର ଖୋଲା ଓ ବନ୍ଦ କରାଯାଇଥିଲା। ଏହା ପରେ ଏହା ଆଉ ବ୍ୟବହୃତ ହୋଇନଥିଲା।

ଡିଜିଟାଲ ଲଗ୍ ଆଧାରରେ ପୋଲିସ ଜାଣିବାକୁ ପାଇଥିଲା ଯେ ୨୪ ମେ ତାରିଖରେ ସେହି କୋଠରୀରେ କିଏ ରହୁଥିଲେ। ତଦନ୍ତ କରି କରି ପୋଲିସ ସୁରତର ଏକ ବ୍ୟବସାୟୀ ପରିବାର ପାଖରେ ପହଞ୍ଚିଥିଲା। ପଚରାଉଚରା ସମୟରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।

ଶେଷରେ ୧୨ ବର୍ଷୀୟ ଶିଶୁଟି ସ୍ୱୀକାର କରିଥିଲା ଯେ, ସେ ‘ଧୁରନ୍ଧର’ ଫିଲ୍ମ ଦେଖିବା ପରେ ମଜାକରେ ସେ ଏହି ଚିଠି ଲେଖିଥିଲା। ଚିଠି ଲେଖିବା ପରେ ଲକର ବନ୍ଦ ହୋଇଯାଇଥିଲା ଏବଂ କୋଡ୍ ଭୁଲିଯିବାରୁ ସେ ତାହାକୁ ବାହାର କରିପାରିନଥିଲା। ଶିଶୁଟିର ମାତାପିତା ମଧ୍ୟ କହିଥିଲେ ଯେ ସେମାନେ ଏହି ଘଟଣା ବିଷୟରେ କିଛି ଜାଣିନଥିଲେ।

ପୋଲିସ ବର୍ତ୍ତମାନ ଏହି ଘଟଣାକୁ ଏକ ଶିଶୁଟିର ଦୁଷ୍ଟାମି ବୋଲି ମନେ କରୁଛି। ତେବେ ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରହିଛି।