ହର୍ମୁଜ୍ ଜଳପଥରେ ଆମେରିକାର ମନମାନି ! ୩ ଦିନରେ ୩ ଜାହାଜ ଉପରେ ଆକ୍ରମଣ, ୩ ଭାରତୀୟଙ୍କ ମୃତ୍ୟୁ

ପଶ୍ଚିମ ଏସିଆର ଜଳପଥ, ବିଶେଷକରି ହର୍ମୁଜ୍ ପ୍ରଣାଳୀ ଏବଂ ଓମାନ ଉପସାଗର, ଗତ ତିନି ଦିନ ଧରି ଭାରତୀୟ ନାବିକମାନଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତ ୭୨ ଘଣ୍ଟା ମଧ୍ୟରେ ଆମେରିକା ତିନୋଟି ଏମିତି ଜାହାଜ ଉପରେ ଆକ୍ରମଣ କରିଛି, ଯେଉଁଥିରେ ଭାରତୀୟ ନାବିକମାନେ ଥିଲେ। ଜୁନ୍ ୧୦ରେ ଘଟିଥିବା ଏହି ଆକ୍ରମଣରେ ତିନିଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏବେ ମଧ୍ୟ ଶତାଧିକ ଭାରତୀୟ ନାବିକ ଏହି ବିପଦପୂର୍ଣ୍ଣ ସମୁଦ୍ର ଅଞ୍ଚଳରେ ଫସି ରହିଛନ୍ତି, ଯେଉଁଠାରେ ଯେକୌଣସି ସମୟରେ ଯାଉଥିବା ଜାହାଜ ମିସାଇଲ୍ କିମ୍ବା ଡ୍ରୋନ୍ ଆକ୍ରମଣର ଶିକାର ହୋଇପାରେ। ଗତ କିଛି ସପ୍ତାହ ଧରି ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ କଡ଼ା ନିୟନ୍ତ୍ରଣ ରଖିଥିବାବେଳେ, ଆମେରିକା ଇରାନର ବନ୍ଦର ଗୁଡ଼ିକ ଉପରେ ନୌସେନା ନାକାବନ୍ଦୀ ଲାଗୁ କରିଛି। ଫଳରେ ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜ ଗୁଡ଼ିକ ଉପରେ ମନଇଚ୍ଛା ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି।

୭୨ ଘଣ୍ଟାରେ ତିନୋଟି ଆକ୍ରମଣ

ପ୍ରଥମ ଆକ୍ରମଣ – ଜୁନ୍ ୮

ଓମାନର ଦକ୍ଷିଣ-ପୂର୍ବ ତଟରେ ଆମେରିକୀୟ ନୌସେନା ଆମେରିକା ଦ୍ୱାରା ପ୍ରତିବନ୍ଧିତ ଟ୍ୟାଙ୍କର ‘ମେରିଭେକ୍ସ’ ଉପରେ ମିସାଇଲ୍ ଆକ୍ରମଣ କରିଥିଲା। ଏହି ଜାହାଜରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସୌଭାଗ୍ୟବଶତଃ, ଏହି ଆକ୍ରମଣରେ କୌଣସି ଭାରତୀୟଙ୍କ ମୃତ୍ୟୁ ହୋଇନଥିଲା। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ଅନୁଯାୟୀ, ଜାହାଜଟି ଇରାନ ବନ୍ଦର ଅଭିମୁଖେ ଯାଉଥିଲା ଏବଂ ସତର୍କବାଣୀ ସତ୍ତ୍ୱେ ଅଟକିବାକୁ ମନା କରିଥିଲା। ଆକ୍ରମଣରେ ଜାହାଜର ଇଞ୍ଜିନିୟରିଂ ଓ ଷ୍ଟିୟରିଂ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ସହ ଅଗ୍ନିକାଣ୍ଡ ଘଟିଥିଲା।

ଦ୍ୱିତୀୟ ଆକ୍ରମଣ – ଜୁନ୍ ୯-୧୦

ଆମେରିକା, ଓମାନ ତଟ ନିକଟରେ MT Settebello ନାମକ ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା, କିନ୍ତୁ ୩ ଜଣ ଭାରତୀୟ ନାବିକ ନିଖୋଜ ହୋଇଥିଲେ। ପରେ ଭାରତ ସରକାର ସେମାନଙ୍କର ମୃତ୍ୟୁ ନିଶ୍ଚିତ କରିଥିବା ଦାବି ହୋଇଛି ।

ଅଭିଯୋଗ ଅନୁଯାୟୀ, ଆମେରିକୀୟ ନୌସେନା ଚାହିଁଲେ ଜାହାଜକୁ ଅଟକ କିମ୍ବା କ୍ରୁମାନଙ୍କୁ ଗିରଫ କରିପାରିଥାନ୍ତା, କିନ୍ତୁ ସେମାନେ ସିଧାସଳଖ ଆକ୍ରମଣ କରିଥିଲେ।

ତୃତୀୟ ଘଟଣା – ଜୁନ୍ ୧୧

ଗୁରୁବାର MT Jalveer ନାମକ ଆଉ ଏକ ଜାହାଜ ସମ୍ବନ୍ଧୀୟ ସମୁଦ୍ର ସୁରକ୍ଷା ଘଟଣା ସାମ୍ନାକୁ ଆସିଥିଲା। ଭାରତୀୟ ଦୂତାବାସ ଓ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନିଶ୍ଚିତ କରାଯାଇଥିଲା ଯେ, ଓମାନ ନିକଟରେ ଏକ ଜାହାଜ ସଙ୍କଟରେ ପଡ଼ିଥିଲା ଏବଂ ଭାରତୀୟ କ୍ରୁଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପରେ ସୂଚନା ମିଳିଥିଲା ଯେ, ଏହି ଜାହାଜରେ ୨୧ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସୌଭାଗ୍ୟବଶତଃ, ଏହି ଘଟଣାରେ କାହାରି କୌଣସି କ୍ଷତି ହୋଇନଥିଲା ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ତିନି ଦିନ ମଧ୍ୟରେ ଘଟିଥିବା ଏହି ତିନୋଟି ଘଟଣା ନାବିକଙ୍କ ସୁରକ୍ଷାକୁ ନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ାଇଛି।