ରଜ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ରଜ ପର୍ବ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶାରେ ପ୍ରବେଶ କରିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ବାୟୁର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ସୂଚନା ମିଳିଛି।

ସୂଚନାଥାଉ କି, କେରଳରେ ପ୍ରବେଶ କରିବାର ପ୍ରାୟ ୮ ଦିନ ପରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଛି। ଚଳିତ ବର୍ଷ ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିଲା। ସାଧାରଣତଃ ଜୁନ୍ ୧ ତାରିଖରେ ଏହା କେରଳରେ ପହଞ୍ଚିଥାଏ। ଭାରତୀୟ ପାଣିପାଗ ବିଭାଗ (IMD) ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଆକଳନ କରିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସମୟସୀମା ପରିବର୍ତ୍ତନ ହୋଇଥିଲା।

କ’ଣ ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ?

ଦେଶରେ ବର୍ଷାର ପ୍ରମୁଖ ଉତ୍ସ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗ୍ରୀଷ୍ମ ଋତୁରେ ଭାରତୀୟ ଉପମହାଦେଶର ଭୂଭାଗ ଅତ୍ୟଧିକ ଉତ୍ତପ୍ତ ହେବାରୁ ଏଠାରେ ନିମ୍ନଚାପ ସୃଷ୍ଟି ହୁଏ। ଏହି ନିମ୍ନଚାପ ଅଞ୍ଚଳ ଆଡ଼କୁ ଭାରତ ମହାସାଗର, ଆରବ ସାଗର ଓ ବଙ୍ଗୋପସାଗରରୁ ଆର୍ଦ୍ର ବାୟୁ ପ୍ରବାହିତ ହୁଏ। ଏହି ଆର୍ଦ୍ର ବାୟୁକୁ ହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୁହାଯାଏ।

ଏହି ମୌସୁମୀ ବାୟୁ ଦୁଇଟି ପ୍ରମୁଖ ଶାଖା—ଆରବ ସାଗର ଶାଖା ଓ ବଙ୍ଗୋପସାଗର ଶାଖାରେ ବିଭକ୍ତ ହୋଇ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା କରାଇଥାଏ।

କୃଷି ଓ ଅର୍ଥନୀତି ପାଇଁ ଜୀବନରେଖା

ଓଡ଼ିଶାରେ ସାଧାରଣତଃ ଜୁନ୍ ମାସ ମଧ୍ୟଭାଗରେ ମୌସୁମୀ ବାୟୁ ପ୍ରବେଶ କରିଥାଏ ଏବଂ ଚାଷ କାର୍ଯ୍ୟକୁ ଗତିଶୀଳ କରେ। ଧାନ ସମେତ ବିଭିନ୍ନ ଫସଲର ଉତ୍ପାଦନ ଏହି ବର୍ଷା ଉପରେ ନିର୍ଭର କରୁଥିବାରୁ ଚାଷୀମାନଙ୍କ ପାଇଁ ଏହା ଆଶାର ବାର୍ତ୍ତା ନେଇ ଆସିଥାଏ।