ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସଫଳତା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଭିନନ୍ଦନ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ରାହୁଲ ଲାଲ କିରଣଙ୍କ ସଫଳତା ଏବେ ଚର୍ଚ୍ଚାରେ। ବି.ଏ. (ଅର୍ଥନୀତି) ଛାତ୍ର ରାହୁଲ ଫିନ୍‌ଟେକ୍ କମ୍ପାନୀ “ଭାୟାନା”ରେ ଆନାଲିଷ୍ଟ ଭାବେ ଚାକିରି ପାଇଛନ୍ତି। ତାଙ୍କର ବାର୍ଷିକ ବେତନ ପ୍ୟାକେଜ୍ ୬.୪୨ ଲକ୍ଷ ଟଙ୍କା ରହିଛି।ଏହି ସଫଳତା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱାଧୀନ ଦାୟିତ୍ୱପ୍ରାପ୍ତ ରାଜ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋସିଆଲ ମିଡିଆରେ କହିଛନ୍ତି ଯେ, ବ୍ଲାକ୍ ସ୍ୱାନ୍ ସମିଟ୍-୨୦୨୬ ଜବ୍ ଫେୟାରରୁ ଆରମ୍ଭ ହୋଇଥିବା ରାହୁଲଙ୍କ ଯାତ୍ରା ଆଜି ତାଙ୍କୁ ଫିନ୍‌ଟେକ୍ କ୍ଷେତ୍ରରେ ଏକ ସ୍ଥାୟୀ ଚାକିରି ଯୋଗାଇ ଦେଇଛି। ଏହା ଓଡ଼ିଶାର ଯୁବପିଢ଼ିର ପ୍ରତିଭା ଓ ସମ୍ଭାବନାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ସେ କହିଛନ୍ତି।ସେହିପରି ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କ ସହ ଉଚ୍ଚଶିକ୍ଷା ବିଭାଗର ସହଯୋଗ ଏବଂ ସର୍ଟିଫିକେଟ୍ ଇନ୍ ଫିନ୍‌ଟେକ୍ ଇନୋଭେସନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରୁଥିବା ଓ ଡିଜିଟାଲ ଅର୍ଥନୀତିରେ ନୂଆ ସୁଯୋଗ ସୃଷ୍ଟି କରୁଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ରାହୁଲଙ୍କ ଏହି ସଫଳତା ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାଦାୟକ ହୋଇଥିବା ବେଳେ, ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।