ଜରୁରୀକାଳୀନ କୋଟା କ’ଣ… ଯାହା ପାଇଁ କନଫର୍ମ ହେଉ ହେଉ ଅଟକିଯାଏ ଆପଣଙ୍କ ଟିକେଟ୍ !

ଅନେକ ସମୟରେ ଟିକେଟ୍ ବୁକ୍ କରିବା ବେଳେ ୱେଟିଂ ବହୁତ କମ୍ ଥାଏ, ତେଣୁ ଲାଗେ ଯେ ଟିକେଟ୍ ନିଶ୍ଚିତ ଭାବେ କନଫର୍ମ ହୋଇଯିବ। କିନ୍ତୁ ଅନେକ ଥର ୱେଟିଂ ୧ କିମ୍ବା ୨ରେ ଆସି ଅଟକିଯାଏ ଏବଂ ଟିକେଟ୍ କନଫର୍ମ ହୁଏ ନାହିଁ। ଏହା ପଛରେ ଅନେକ ସମୟରେ ଇମର୍ଜେନ୍ସି(ଜରୁରୀକାଳୀନ) କୋଟା ମଧ୍ୟ ଏକ ବଡ଼ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଏହି ଇମର୍ଜେନ୍ସି କୋଟା କ’ଣ ଏବଂ କାହିଁକି ଏହା ୱେଟିଂ ଟିକେଟ୍ କନଫର୍ମ ହେବାରେ ବାଧା ସୃଷ୍ଟି କରେ।

ଇମର୍ଜେନ୍ସି କୋଟା କ’ଣ?

ଇମର୍ଜେନ୍ସି କୋଟାକୁ ‘ତତ୍କାଳ ଭିଆଇପି କୋଟା’ ବୋଲି ମଧ୍ୟ କୁହାଯାଏ। ଏହି କୋଟା ଅଧୀନରେ କିଛି ଭିଆଇପି ଏବଂ ଭିଭିଆଇପି ବ୍ୟକ୍ତିଙ୍କ ପାଇଁ ରେଳ ଯାତ୍ରାର ବର୍ଥ ସଂରକ୍ଷିତ ରଖାଯାଏ। ସାଂସଦ, ବିଧାୟକ କିମ୍ବା ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସୁପାରିଶରେ ଏହି ସିଟ୍‌ ଗୁଡ଼ିକ ଆବଣ୍ଟନ କରାଯାଏ।

ଯେତେବେଳେ କୌଣସି ଭିଆଇପି ବ୍ୟକ୍ତି ହଠାତ୍ ଟ୍ରେନ୍‌ରେ ଯାତ୍ରା କରିବାକୁ ଯୋଜନା କରନ୍ତି, ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଏହି ସଂରକ୍ଷିତ ବର୍ଥରୁ ସେମାନଙ୍କୁ ସିଟ୍ ଦିଆଯାଏ।

ୱେଟିଂ ଟିକେଟ୍ କନଫର୍ମ ନ ହେବାର କାରଣ

ଟ୍ରେନ୍‌ର ଚାର୍ଟ ପ୍ରସ୍ତୁତ ସମୟରେ ରେଳବାଇର କମ୍ପ୍ୟୁଟର ସିଷ୍ଟମ୍ ପ୍ରଥମେ ଏହି ବିଶେଷ କୋଟାର ସିଟ୍‌ ଗୁଡ଼ିକୁ ବ୍ଲକ୍ କରିଦିଏ। ଯଦି ସେଗୁଡ଼ିକ ଖାଲି ରହିଯାଏ, ତେବେ ମାତ୍ର ସେଗୁଡ଼ିକୁ ୱେଟିଂ ତାଲିକାରେ ଥିବା ସାଧାରଣ ଯାତ୍ରୀଙ୍କୁ ଆବଣ୍ଟନ କରାଯାଏ। ଏହି କାରଣରୁ ଚାର୍ଟ ପ୍ରସ୍ତୁତ ହେବା ପରେ ମଧ୍ୟ ୱେଟିଂ ତାଲିକାରେ ବଡ଼ ପରିବର୍ତ୍ତନ ଦେଖାଯାଏ।

  • ଆଉ କେଉଁ କାରଣରୁ ୱେଟିଂ ସିଟ୍ ଅଟକିଯାଏ?
  • ରେଳବାଇର ‘ସିକ୍ରେଟ୍ ଆଲଗୋରିଦମ୍’ ଅନୁଯାୟୀ ଯାତ୍ରାର ଗନ୍ତବ୍ୟସ୍ଥଳ ଆଧାରରେ ମଧ୍ୟ ସିଟ୍ କନଫର୍ମ କରାଯାଏ।
  • ଦୀର୍ଘ ଦୂରତା ଯାତ୍ରୀଙ୍କୁ ସିଷ୍ଟମ୍ ଅଧିକ ପ୍ରାଥମିକତା ଦେଇଥାଏ। ଏଥିପାଇଁ କେବେ କେବେ କମ୍ ଦୂରତାର ଯାତ୍ରୀଙ୍କ ଟିକେଟ୍ ୱେଟିଂରେ ରହିଯାଏ।
  • ମୁଖ୍ୟାଳୟ (HO-Headquarters) କୋଟା ମଧ୍ୟ ଏକ ଶକ୍ତିଶାଳୀ କୋଟା ଅଟେ। ରେଳବାଇର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଭିଭିଆଇପି ଯାତ୍ରୀଙ୍କ ପାଇଁ ଏହା ସଂରକ୍ଷିତ ରହେ।
  • ଟିକେଟ୍‌ର ଅତ୍ୟଧିକ ଚାହିଦା, କନଫର୍ମ ଟିକେଟ୍ ବାତିଲ୍ ନ ହେବା ଏବଂ ବିଭିନ୍ନ କୋଟାର ଚାହିଦା ବଢ଼ିବା ଯୋଗୁଁ ମଧ୍ୟ ୱେଟିଂ ଟିକେଟ୍ କନଫର୍ମ ହୋଇନଥାଏ।

ତେଣୁ ୱେଟିଂ ଟିକେଟ୍ ୧ କିମ୍ବା ୨ରେ ଥିଲେ ମଧ୍ୟ ସବୁବେଳେ କନଫର୍ମ ହେବ ଏହାର କୌଣସି ଗ୍ୟାରେଣ୍ଟି ନଥାଏ । ଇମର୍ଜେନ୍ସି କୋଟା, HO କୋଟା, ଦୀର୍ଘ ଦୂରତା ଯାତ୍ରୀଙ୍କୁ ପ୍ରାଥମିକତା ଏବଂ ଅନ୍ୟାନ୍ୟ ରେଳବାଇ ନୀତି ଯୋଗୁଁ ଶେଷ ମୁହୂର୍ତ୍ତରେ ମଧ୍ୟ ଟିକେଟ୍ ୱେଟିଂରେ ରହିପାରେ।